ସରକାରଙ୍କ ପ୍ରତିଶ୍ରୁତି ପୂରଣ ହେଲାନି, ୨୧ରେ ଦେଶବ୍ୟାପୀ ଚାଷୀ ବିକ୍ଷୋଭ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ନ ହେବାରୁ ଆସନ୍ତା ୨୧ ତାରିଖରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସଂଯୁକ୍ତ କୃଷକ ମୋର୍ଚ୍ଚା (ଏସ୍‌କେଏମ୍‌) ପକ୍ଷରୁ କୁହାଯାଇଛି। ଏମ୍‌ଏସ୍‌ପି ଉପରେ ଏକ ପ୍ୟାନେଲ ସ୍ଥାପନ କରିବା ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷକମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଉପରେ ଏପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରିବା ପରେ ଏସ୍‌କେଏମ୍‌ ଏଭଳି ନିଷ୍ପତ୍ତି ନେଇଛି। ଏମ୍‌ଏସ୍‌ପି ଉପରେ ଏକ ପ୍ୟାନେଲ ଗଠନ, କୃଷକଙ୍କ ବିରୋଧରେ ଆନ୍ଦୋଳନ ସମୟରେ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର ଏବଂ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କୁ କେନ୍ଦ୍ର କ୍ୟାବିନେଟରୁ ବହିଷ୍କାର ପ୍ରସଙ୍ଗରେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନିଆଯାଇନଥିବା ଏସ୍‌କେଏମ୍‌ କହିଛି।

ପ୍ରତିଶ୍ରୁତି ପୂରଣ ହୋଇ ନଥିବାରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଆସନ୍ତା ୨୧ ତାରିଖରେ ଜିଲ୍ଲା ତଥା ବ୍ଲକସ୍ତରରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବାକୁ ସଂଗଠନ ନିଷ୍ପତ୍ତି ନେଇଛି। ଦେଶବ୍ୟାପୀ ଅଭିଯାନର ପରବର୍ତ୍ତୀ ପର୍ଯ୍ୟାୟରେ କୃଷକମାନେ ଏପ୍ରିଲ ୧୧ରୁ ୧୭ ପର୍ଯ୍ୟନ୍ତ ‘ଏମ୍‌ଏସ୍‌ପି ଗ୍ୟାରେଣ୍ଟି ସପ୍ତାହ’ ପାଳନ କରିବେ ବୋଲି ସଗଂଗଠନ ଏକ ବିବୃତ୍ତିରେ କହିଛି। ଆନ୍ଦୋଳନରତ କୃଷକମାନଙ୍କୁ ସରକାର ଦେଇଥିବା ପ୍ରତିଶ୍ରୁତିକୁ ତିନିମାସ ପରେ ମଧ୍ୟ କାର୍ଯ୍ୟକାରୀ ନକରିବା ଦ୍ବାରା କେନ୍ଦ୍ରର କୃଷକ ବିରୋଧୀ ମାନସିକତା ଧରାପଡ଼ୁଛି ବୋଲି ବିବୃତ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର