କରୋନା ମୁକାବିଲା: ଶାହିନ୍‌ବାଗ ଆନ୍ଦୋଳନସ୍ଥଳ ଖାଲି କଲା ପୁଲିସ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସମ୍ପୂର୍ଣ୍ଣ ଲକ‌୍‌ଡାଉନ ଘୋଷଣା ହୋଇଥିବାରୁ ଆଜି ପୁଲିସ ଶାହିନ୍‌ବାଗ ଆନ୍ଦୋଳନ ସ୍ଥଳକୁ ଖାଲି କରିଦେଇଛି। ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଶତାଧିକ ମହିଳା ଶାହିନ୍‌ବାଗରେ ଆନ୍ଦୋଳନ ଚଳାଇ ଆସୁଥିଲେ। ତେବେ କରୋନା ଭାଇରସ ସଂକ୍ରମଣ ମୁକାବିଲା ଉଦ୍ଦେଶ୍ୟରେ ଆଜି ଦିଲ୍ଲୀ ପୁଲିସ ଆନ୍ଦୋଳନକାରୀମାନଙ୍କୁ ଏଠାରୁ ହଟାଇ ଦେଇଛି। ଆଜି ଶାହିନବାଗ ଆନ୍ଦୋଳନକାରୀମାନେ ଆନ୍ଦୋଳନ ପ୍ରଦର୍ଶନ କରିବା ପରେ ଦିଲ୍ଲୀ ପୁଲିସ ବଳପୂର୍ବକ ସେମାନଙ୍କୁ ସ୍ଥାନାନ୍ତର କରିଛି। ପୁଲିସର ଅନୁରୋଧକୁ ଅବମାନନା କରି କେତେକ ଆନ୍ଦୋଳନକାରୀ ଆନ୍ଦୋଳନ ଜାରି ରଖିଥିଲେ। ଆନ୍ଦୋଳନ ସ୍ଥଳରେ ୧୪୪ ଧାରା ଜାରି ହୋଇଥିବା ସତ୍ତ୍ବେ ଆନ୍ଦୋଳନକାରୀ ଏହାକୁ ଉଲ୍ଲଂଘନ କରିଥିଲେ। ଏହା ଫଳରେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ୬ଜଣ ମହିଳା ଏବଂ ୩ ଜଣ ପୁରୁଷ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି। ଦିଲ୍ଲୀରେ ସମ୍ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା ହୋଇଥିବାରୁ ଶାହିନ୍‌ବାଗ ଆନ୍ଦୋଳନ ସ୍ଥଳ ଖାଲି କରିବାକୁ ପୁଲିସ ଆନ୍ଦୋଳନକାରୀଙ୍କୁ ଅନୁରୋଧ କରିଥିଲା। କରୋନା ସଂକ୍ରମଣ ସମୟରେ ଜନସମାଗମ ବେଆଇନ। ଏଣୁ ଶାହିନ୍‌ବାଗ ଆନ୍ଦୋଳନସ୍ଥଳକୁ ଖାଲି କରିବାକୁ ପୁଲିସ ଆନ୍ଦୋଳନକାରୀଙ୍କୁ ଅନୁରୋଧ କରିଥିଲା। ଅନୁରୋଧ ଅଗ୍ରାହ୍ୟ କରିବାରୁ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥିଲା। ଆନ୍ଦୋଳନ ସ୍ଥଳ ଖାଲି କରିବା ପୂର୍ବରୁ ସେଠାରେ ପୁଲିସ ନିରାପତ୍ତା ବ୍ୟବସ୍ଥା କଠୋର କରିବା ସହ ୧୪୪ଧାରା ଜାରି କରାଯାଇଥିଲା। ଜାନୁଆରି ମାସରେ ଦଙ୍ଗା ବ୍ୟାପିଥିବା ଜାଫ୍ରାବାଦରେ ମଧ୍ୟ ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରାଯାଇଛି। ଦିଲ୍ଲୀ ସରକାର ମାର୍ଚ ୩୧ ତାରିଖ ଯାଏଁ ସମଗ୍ର ଦିଲ୍ଲୀରେ ଲକଡାଉନ୍ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର