ବାଗ୍ଦାଦ୍ କୋଭିଡ୍ ହସ୍ପିଟାଲ୍ରେ ନିଆଁ ଲାଗି ୨୩ଜଣ ମୃତ
ବାଗ୍ଦାଦ୍: ରବିବାର ଦିନ ଇରାକ୍ର ରାଜଧାନୀ ବାଗ୍ଦାଦ୍ରେ ଥିବା ‘ଇବନ୍ ଅଲ୍-ଖାତିବ୍ ହସ୍ପିଟାଲ୍’ର ‘କରୋନାଭାଇରସ୍ ଇଣ୍ଟେନ୍ସିଭ୍ କେୟାର୍ ୟୁନିଟ୍’ରେ ନିଆଁ ଲାଗିଯିବାରୁ ଅନ୍ୟୂନ ୨୩ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମେଡିକାଲ୍ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ‘ଅକ୍ସିଜେନ୍ ସିଲିଣ୍ଡର୍ ଗଚ୍ଛିତ ରଖିବାରେ ତ୍ରୁଟି ଯୋଗୁଁ ବିସ୍ଫୋରଣ ଘଟି ଡାକ୍ତରଖାନାରେ ନିଆଁ ଲାଗିଯାଇଥିଲା।
ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ‘ଇବନ୍ ଅଲ୍-ଖାତିବ୍ ହସ୍ପିଟାଲ୍’ର ଇଣ୍ଟେନ୍ସିଭ୍ କେୟାର୍ ୟୁନିଟ୍ରେ ଥିବା ୩୦ଜଣ ରୋଗୀଙ୍କ ଶଯ୍ୟା ପାଖରେ ସେମାନଙ୍କର ଆତ୍ମୀୟସ୍ବଜନମାନେ ଉପସ୍ଥିତ ଥିଲେ। ମଧ୍ୟରାତ୍ର ବେଳକୁ ହସ୍ପିଟାଲ୍ର ବିଭିନ୍ନ ମହଲାରେ ଅଗ୍ନିଶିଖା ବ୍ୟାପିଯାଇଥିଲା।
ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଚାଲିଥିବା ଭିଡିଓରେ ଦେଖାଯାଉଛି, ଇରାକୀ ରାଜଧାନୀର ଦକ୍ଷିଣପୂର୍ବ ଉପକଣ୍ଠରେ ଥିବା ଏହି ଡାକ୍ତରଖାନାରୁ ନିଆଁ ଲିଭାଇବା ନିମନ୍ତେ ଦମକଳ ବାହିନୀ ଉଦ୍ୟମ କରୁଥିବା ବେଳେ ରୋଗୀ ଏବଂ ସେମାନଙ୍କ ଆତ୍ମୀୟମାନେ ଡାକ୍ତରଖାନାରୁ ଧାଇଁ ପଳାଉଛନ୍ତି।
ଏହି ଅଗ୍ନିକାଣ୍ଡ ଯୋଗୁଁ ୨୩ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ପ୍ରାୟ ୫୦ ସରିକି ବ୍ୟକ୍ତି ଆହତ ହୋଇଥିବା କଥା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।
୧୨୦ଜଣ ରୋଗୀ ଏବଂ ସେମାନଙ୍କ ଆତ୍ମୀୟସ୍ବଜନଙ୍କ ମଧ୍ୟରୁ ୯୦ଜଣଙ୍କୁ ଉଦ୍ଧାର କରିଛନ୍ତି ବୋଲି ଇରାକୀ ରାଷ୍ଟ୍ରାୟତ ନିଉଜ୍କୁ ‘ସିଭିଲ୍ ଡିଫେନ୍ସ୍’ କହିଛି।
ଅବହେଳା କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା କଥା ବିଭିନ୍ନ ସୂତ୍ରରୁ ଜଣାପଡ଼ିବା ପରେ ସାମାଜିକ ଗଣମାଧ୍ୟମରେ ଇରାକ୍ବାସୀମାନେ କ୍ରୋଧ ବ୍ୟକ୍ତ କରିଛନ୍ତି।
ଘଟଣାର ତଦନ୍ତ କରି କର୍ତ୍ତବ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ପ୍ରତି ଦଣ୍ଡବିଧାନ କରିବା ଲାଗି ଏକ ତଦନ୍ତ କମିସନ୍ ବସାଇବାକୁ ବାଗ୍ଦାଦ୍ର ରାଜ୍ୟପାଳ ମହମଦ୍ ଜବର୍ ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ନିର୍ଦେଶ ଦେଇଛନ୍ତି।