ନାଇଜେରିଆରେ ଓଡ଼ିଆ ପାଳିଲେ ପଞ୍ଚରାତ୍ର ମହୋତ୍ସବ

ଭୁବନେଶ୍ବର: ସୁଦୂର ଆଫ୍ରିକା ମହାଦେଶ ଅନ୍ତର୍ଭୁକ୍ତ ନାଇଜେରିଆରେ ପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ହେବାର ପାଞ୍ଚ ବର୍ଷ ପୂର୍ତ୍ତି ଅବସରରେ ପଞ୍ଚରାତ୍ର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଜଗନ୍ନାଥଙ୍କ ଏହି ମହାପର୍ବ ଓଡ଼ିଆ ସମାଜ ଆସୋସିଏସନ ଅଫ ନାଇଜେରିଆ (ଓଏସ୍‌ଏଏନ୍‌) ଦ୍ୱାରା ଏପ୍ରିଲ ୧୩ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖ ଯାଏ ଅନୁଷ୍ଠିତ ହେଇଥିଲା।

ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ଗତ ଏପ୍ରିଲ ୧୩ ତାରିଖରେ ପ୍ରବାସୀ ଭାରତୀୟ ମହିଳାମାନଙ୍କୁ ନେଇ ୧୦୮ ପୂର୍ଣ୍ଣ କୁମ୍ଭ ଯାତ୍ରାରୁ ଏହାର ଶୁଭାରମ୍ଭ ହେଇ ୧୭ ତାରିଖ (ରବିବାର) ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ପଞ୍ଚରାତ୍ର ପାରାୟଣ ତଥା ପ୍ରବଚନ କାର୍ଯ୍ୟକ୍ରମ ଚାଲିଥିଲା। ଉକ୍ତ କାର୍ଯ୍ୟକ୍ରମରେ ଚିନ୍ମୟ ମିଶନ, କଟକ, ଓଡିଶାର ଆଚାର୍ଯ୍ୟ ସ୍ଵାମୀ କୃଷ୍ଣପ୍ରେମାନନ୍ଦ ସରସ୍ବତୀଙ୍କ ଶ୍ରୀପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ ଉପରେ ପ୍ରବଚନ ସମସ୍ତ ପ୍ରବାସୀ ଭାରତୀୟଙ୍କୁ ଶ୍ରୀଜଗନ୍ନାଥ ପ୍ରେମରେ ଅଭିଭୂତ କରିଦେଇଥିଲା।

ରବିବାର ସନ୍ଧ୍ୟାରେ ଏହି ମହୋତ୍ସବର ପୂର୍ଣାହୂତି ଦିଆଯାଇଛି। ଓଡିଶାରୁ ପୁରୋହିତମାନେ ନାଇଜେରିଆ ଯାଇ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ମୁତାବକ ଏହିପୂଜା କର୍ମକୁ ସଫଳ ରୂପେ ସମ୍ପାଦନ କରିଛନ୍ତି। ରବିବାର ସନ୍ଧ୍ୟାରେ ପୁରୀ ଗଜପତି ମହାରାଜ ଶ୍ରୀଦିବ୍ୟସିଂହ ଦେବ ଭକ୍ତମାନଙ୍କୁ ଆଭାସୀ ଜରିଆରେ ଉଦ୍‌ବୋଧନ ଦେଇ ଉତ୍ସାହିତ କରିଥିଲେ।ବିଦେଶରେ ରହି ମଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ମହିମା ପ୍ରଚାର କରୁଥିବାରୁ ଗଜପତି ଆନନ୍ଦ ପ୍ରକାଶ କରିଥିଲେ। ସାତ ଦରିଆ ପାରିରେ ରହି ନିଜ ଜନ୍ମମାଟିର ମହତ୍ୱ, ଗୌରବମୟ ଉତ୍କଳର ପାରମ୍ପରିକ ସମ୍ମାନକୁ ଅଖୁର୍ଣ୍ଣ ରଖିବା ପାଇଁ ଓଏସ୍‌ଏଏନ୍‌ ସଂଗଠନର ଏହି ପ୍ରଚେଷ୍ଠା ନିଃସନ୍ଦେହରେ ପ୍ରସଂଶନୀୟ।

ଓଏସ୍‌ଏଏନ୍‌ର ସଭାପତି ହିମାଂଶୁ ଶେଖର ମହାପାତ୍ର, ପୂର୍ବତନ ସଭାପତି ଅଶୋକ ନାୟକ, ଉପସଭାପତି ରମେଶ ମଲିକ, ସହସମ୍ପାଦକ ରାମକୃଷ୍ଣ ତ୍ରିପାଠୀ, ପୂର୍ବତନ ସମ୍ପାଦକ ଶରତ ସାହୁ, ବରିଷ୍ଠ ସଦସ୍ୟ ରମେଶ ବିଶ୍ୱାଳ, ନିରଞ୍ଜନ ମହାନ୍ତି, ଶେଖର କର, ବିଶ୍ୱଜିତ ପରିଜା, ସଂଗ୍ରାମ ପଟ୍ଟନାୟକ, କଳା ଏବଂ ସଂସ୍କୃତି ସମ୍ପାଦକ ସଞ୍ଜୟ ଦାସ, ବାର୍ଷିକ ମହୋତ୍ସବ ଉପାଧ୍ୟକ୍ଷ ପ୍ରଶାନ୍ତ ଦାସ, ସଦସ୍ୟ କାନ୍ତ ପଟ୍ଟନାୟକ, ସଞ୍ଜୟ ସାହୁ, ପ୍ରସନ୍ନ ଜେନା, ଗଗନ ସମୁଦ୍ର, ଜଗନ୍ନାଥ ପାଣିଗ୍ରାହୀ, ସଂତୃପ୍ତ ଦାସ, ହାଡିବନ୍ଧୁ ରାଉତ, ରଜତ ରଥ, ପ୍ରଣବ ଶର୍ମା, ପ୍ରକାଶ ପ୍ରଧାନ, ନିହାର ସାମଲ, ସଂଗ୍ରାମ ନାୟକ ପ୍ରମୁଖ ଏହି ସମାରୋହକୁ ପରିଚାଳନା କରିଥିଲେ|

ସମ୍ବନ୍ଧିତ ଖବର