ବିଦେଶ ମନ୍ତ୍ରୀଙ୍କ ଟ୍ବିଟ୍‌କୁ ନେଇ ବିବାଦ: ପଟେଲଙ୍କୁ କ୍ୟାବିନେଟ୍‌ରେ ଚାହୁନଥିଲେ ନେହରୁ!

ନୂଆଦିଲ୍ଲୀ: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ନିଜ କ୍ୟାବିନେଟ୍‌ରେ ସାମିଲ କରିବାକୁ ଚାହୁଥିଲେ କି ନାହିଁ, ଏ ସଂକ୍ରାନ୍ତ ବିବାଦ ପୁଣି ଚର୍ଚ୍ଚାକୁ ଆସିଛି। ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଏକ ପୁସ୍ତକରେ ପ୍ରକାଶିତ ତଥ୍ୟକୁ ନେଇ ଟ୍ବିଟ୍‌ କରିଛନ୍ତି। ନେହରୁ ୧୯୪୭ରେ ତାଙ୍କ କ୍ୟାବିନେଟ୍‌ରେ ପଟେଲଙ୍କୁ ସାମିଲ କରିବାକୁ ଚାହୁନଥିଲେ ଏବଂ କ୍ୟାବିନେଟ୍‌ର ପ୍ରଥମ ତାଲିକାରେ ପଟେଲଙ୍କ ନାମକୁ ବାଦ ଦିଆଯାଇଥିଲା ବୋଲି ପ୍ରକାଶ ପାଇଥିବା ତଥ୍ୟକୁ ବିଦେଶ ମନ୍ତ୍ରୀ ଟ୍ବିଟ୍‌ କରିଛନ୍ତି। ଭି.ପି. ମେନନଙ୍କ ଜୀବନୀ ଉପରେ ନାରାୟଣୀ ବସୁଙ୍କ ଦ୍ବାରା ଲିଖିତ ପୁସ୍ତକ ‘ଭି ପି ମେନନ’ରେ ପ୍ରକାଶିତ ଏହି ତଥ୍ୟକୁ କଂଗ୍ରେସ ପକ୍ଷରୁ ଖଣ୍ଡନ କରାଯିବ ସହ ଏହି ତଥ୍ୟ ଆଧାରହୀନ ବୋଲି କୁହାଯାଇଛି। ଏହା ସହିତ ନେହରୁଙ୍କ ଦ୍ବାରା ମାଉଣ୍ଟବେଟନଙ୍କୁ ଲିଖା ଯାଇଥିବା ଚିଠି ମଧ୍ୟ କଂଗ୍ରେସ ସେୟାର କରିଛି, ଯେଉଁଥିରେ ପଟେଲଙ୍କ ନାମ କ୍ୟାବିନେଟ ତାଲିକାରେ ସବା ଆଗରେ ରହିଛି।

ଜୟଶଙ୍କର ଆଜି ଏହି ପ୍ରସଙ୍ଗରେ ଏକ ସିରିଜ୍‌ ଟ୍ବିଟ୍‌ କରି କହିଛନ୍ତି ଯେ ଏହି ପ୍ରସଙ୍ଗରେ ବିତର୍କର ଆବଶ୍ୟକତା ରହିଛି। ଲେଖକ ଏହି ତଥ୍ୟ ପ୍ରକାଶ ଉପରେ କାଏମ ରହିଛନ୍ତି ଏବଂ ତାହା ମୁଁ ଜାଣିବାକୁ ପାଇଛି ବୋଲି ଜୟଶଙ୍କର କହିଛନ୍ତି। ସୂଚନାଯୋଗ୍ୟ ଦେଶ ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଭି.ପି. ମେନନଙ୍କ ଜୀବନୀ ଉପରେ ରଚିତ ପୁସ୍ତକକୁ ଜୟଶଙ୍କର ଗତକାଲି ଉନ୍ମୋଚନ କରିଥିଲେ। ତେବେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଏହି ତଥ୍ୟ ମିଛ ବୋଲି କହିଛନ୍ତି। ରମେଶ ୧୪ ଅଗଷ୍ଟ ୧୯୪୭ରେ ଲେଖାଯାଇଥିବା ଏକ ପତ୍ର ମଧ୍ୟ ଟ୍ବିଟ୍‌ କରିଛନ୍ତି। ଖ୍ୟାତନାମା ଇତିହାସକାର ରାମଚନ୍ଦ୍ର ଗୁହା ମଧ୍ୟ ଜୟଶଙ୍କରଙ୍କ ପୋଷ୍ଟ୍‌କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଏହା ଏକ କଳ୍ପନା ବ୍ୟତୀତ ଅନ୍ୟ କିଛି ନୁହେଁ। ଏଭଳି ମିଥ୍ୟାର ପ୍ରଚାର ବିଦେଶ ମନ୍ତ୍ରୀଙ୍କ କାମ ନୁହେଁ। ଏହି କାମ ବିଜେପିର ଆଇଟି ସେଲ୍‌ ପାଇଁ ବିଦେଶ ମନ୍ତ୍ରୀ ଛାଡ଼ିଦିଅନ୍ତୁ ବୋଲି ସେ କହିଥିଲେ। ଏହାର ଜବାବରେ ଜୟଶଙ୍କର ଟ୍ବିଟ୍‌ କରି କହିଛନ୍ତି-‘କିଛି ବିଦେଶ ମନ୍ତ୍ରୀ ପୁସ୍ତକ ମଧ୍ୟ ପଢ଼ନ୍ତି। ଏଭଳି କାର୍ଯ୍ୟ କିଛି ପ୍ରଫେସରଙ୍କ ପାଇଁ ଉତ୍ତମ ସାବ୍ୟସ୍ତ ହେବ। ଏହା ମାମଲାରେ ମୁଁ ଆପଣଙ୍କୁ ମୋ ଦ୍ବାରା ଗତକାଲି ଉନ୍ମୋଚିତ ହୋଇଥିବା ପୁସ୍ତକ ପଢ଼ିବାକୁ ପରାମର୍ଶ ଦେଉଛି।’ ନେହରୁଙ୍କ ଉପରେ ପୁସ୍ତକ ଲେଖିଥିବା ବରିଷ୍ଠ ସାମ୍ବାଦିକ ପୀୟୂଷ ୱେବ୍‌ଲେ ମଧ୍ୟ ନୂତନ ପୁସ୍ତକରେ ନେହରୁ-ପଟେଲଙ୍କ ସଂପର୍କକୁ ନେଇ କରାଯାଇଥିବା ଦାବିକୁ ଖଣ୍ଡନ କରିଛନ୍ତି।

ସମ୍ବନ୍ଧିତ ଖବର