ପୂର୍ବତନ ଆଇଏସଆଇ ମୁଖ୍ୟଙ୍କ ପୁସ୍ତକକୁ ନେଇ ପାକିସ୍ତାନ ଛାନିଆ :ଦୁରାନିଙ୍କ ଉପରେ କଟକଣା

ଇସଲାମାବାଦ: ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ପୂର୍ବତନ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଅସଦ ଦୁରାନିଙ୍କ ପୁସ୍ତକରେ ପ୍ରକାଶିତ ତଥ୍ୟକୁ ନେଇ ପାକିସ୍ତାନ ସରକାର ଛାନିଆ ହୋଇଛନ୍ତି। ଏଥିପାଇଁ ଦୁରାନିଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ଦେଶଛାଡି ଯିବା ଉପରେ କଟକଣା ଲାଗୁ କରଛନ୍ତି। ଅପରପକ୍ଷେ, ତାଙ୍କୁ ଜେରା କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଦୁରାନି ପୂର୍ବତନ ଭାରତୀୟ ଗୁଇନ୍ଦା ସଂସ୍ଥା ର’ ମୁଖ୍ୟ ଅମରଜିତ ସିଂହ ଡୁଲାଟଙ୍କ ସହ ମିଶି ‘ ସ୍ପାଏ କ୍ରୋନିକିଲ୍ସ: ର’, ଆଇଏସ୍‌ଆଇ ଆଣ୍ଡ ଦ ଇଲ୍ୟୁଜନ ଅଫ ପିସ୍‌’ ପୁସ୍ତକ ଲେଖି ସେନା ଆଇନର ଉଲ୍ଲଂଘନ କରିଥିବା ପାକିସ୍ତାନ ସରକାର ଅଭିଯୋଗ କରିଛନ୍ତି। ଦୁରାନିଙ୍କୁ ପାକିସ୍ତାନର ଏକଜିଟ କଣ୍ଟ୍ରୋଲ ଲିଷ୍ଟରେ ମଧ୍ୟ ସାମିଲ କରି ଦିଆଯାଇଥିବା ଜଣାପଡ଼ିଛି। ପାକିସ୍ତାନ ସେନା ଏହାକୁ ଅପରାଧ ବୋଲି କହିବା ସହ ଜେରା ପାଇଁ ଦୁରାନିଙ୍କୁ ସମନ କରିଥିଲା। ଦୁରାନିଙ୍କ ଉକ୍ତ ପୁସ୍ତକରେ ରହିଥିବା କେଉଁ ତଥ୍ୟ ସେନା ଆଇନର ଉଲ୍ଲଂଘନ କରୁଛି ସେନେଇ ପାକିସ୍ତାନ ସେନା କୌଣସି ତଥ୍ୟ ପ୍ରକାଶ କରିନାହିଁ।
ତେବେ ଗଣମାଧ୍ୟରେ ପ୍ରସାରିତ ହେଉଥିବା ତଥ୍ୟ ମୁତାବକ, ଏହି ପୁସ୍ତକରେ ଅଲ କାଏଦା ସଂସ୍ଥାପକ ଓସାମା ବିନ ଲାଦେନର ହତ୍ୟା ଠାରୁ ନେଇ ପାକିସ୍ତାନରେ ବନ୍ଦୀ ଥିବା ପୂର୍ବତନ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ସମ୍ପର୍କରେ ସମସ୍ତ ଘଟଣାର ସତ୍ୟତାକୁ ବର୍ଣ୍ଣନା କରାଯାଇଛି। କିଭଳି ଭାବେ ପାକିସ୍ତାନ ସରକାର କୁଳଭୂଷଣଙ୍କ ମାମଲାକୁ ମିଛରୂପ ଦେଇଛି ତାହା ମଧ୍ୟ ଏହି ପୁସ୍ତକରେ ଲେଖା ଯାଇଥିବା ଚର୍ଚ୍ଚା ହେଉଛି। ଆଇନଗତ ଦୃଷ୍ଟିକୋଣରୁ ଦେଖିବାକୁ କୁଳଭୂଷଣଙ୍କୁ ପାକିସ୍ତାନ ସରକାର ମୁକ୍ତ କରିଦେବା କଥା ବୋଲି ଏହି ପୁସ୍ତକରେ ଲେଖାଯାଇଛି। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମଧ୍ୟ ଏହି ପୁସ୍ତକରେ ପ୍ରଶଂସା କରାଯାଇଥିବା ବେଳେ ହାଫିଜ ସୟିଦ ଓ ପାକିସ୍ତାନ ସରକାରଙ୍କ ବିଷୟରେ ତଥ୍ୟ ରହିଛି।

ସମ୍ବନ୍ଧିତ ଖବର