ବାଜପେୟୀଙ୍କ ଅସ୍ଥି ଗଂଗାରେ ବିଲୀନ

ଅସ୍ଥି ବିସର୍ଜନ କଲେ ଝିଅ ନମିତା

ହରିଦ୍ୱାର: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ରବିବାର ଉତ୍ତରାଖଣ୍ଡସ୍ଥିତ ହରିଦ୍ୱାରରେ ଗଂଗାନଦୀରେ ବିସର୍ଜନ କରାଯାଇଛି। ତାଙ୍କ ପୋଷ୍ୟ କନ୍ୟା ନମିତା ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା ଅସ୍ଥି ବିସର୍ଜିତ ହୋଇଛି। ତେବେ ଏହା ପୂର୍ବରୁ ଆଜି ସକାଳୁ ଦିଲ୍ଲୀରୁ ଅସ୍ଥି କଳସ ଅଣାଯାଇଥିଲା। ପରେ ଏହାକୁ ହରିଦ୍ୱାରର ଭଲ୍ଲା କଲେଜ ଗ୍ରାଉଣ୍ଡରେ ରଖାଯାଇଥିଲା। ସେଠାରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ଏହାପରେ ସେଠାରୁ ‘ହର୍‌ କୀ ପୌଡ଼ି’ ପର୍ଯ୍ୟନ୍ତ ପ୍ରାୟ ଦୁଇ କିଲୋମିଟର ଲମ୍ବା ଯାତ୍ରା ଆରମ୍ଭ ହୋଇଥିଲା। ଏଥିରେ ହଜାର ହଜାର ଲୋକ ସାମିଲ ହୋଇଥିଲେ।

ଏହି ଯାତ୍ରାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ୍‌ଙ୍କ ସମେତ ଦଳର ଆଉ କେତେଜଣ ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତା ମଧ୍ୟ ସାମିଲ ହୋଇଥିଲେ। ହର୍‌ କୀ ପୌଡ଼ିଠାରେ ମଧ୍ୟ ବିଜେପି ପକ୍ଷରୁ ଏକ ମଞ୍ଚ ପ୍ରସ୍ତୁତ କରାଯାଇଥିଲା। ସେଠାରେ ଦଳ ପକ୍ଷରୁ ଲୋକଙ୍କୁ ସମ୍ବୋଧିତ କରାଯାଇଥିଲା। ସୂଚନାଯୋଗ୍ୟ, ଦିଲ୍ଲୀର ସ୍ମୃତିସ୍ଥଳରେ ବାଜପେୟୀଙ୍କ ଅନ୍ତିମ ସଂସ୍କାର ପରେ ଚିତାଭସ୍ମକୁ ୩ଟି ପୃଥକ୍‌ କଳସରେ ରଖାଯାଇଥିଲା। ବାଜପେୟୀଙ୍କ ଚିତାଭସ୍ମକୁ ଦେଶର ୧୦୦ରୁ ଅଧିକ ନଦୀରେ ବିସର୍ଜନ କରାଯିବ ବୋଲି ଯୋଜନା ରହିଛି। ଉତ୍ତର ପ୍ରଦେଶର ସମସ୍ତ ନଦୀରେ ଚିତାଭସ୍ମ ବିସର୍ଜନ ହେବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଥିଲେ।

ହରିଦ୍ୱାରରେ ବିପୁଳ ଜନସମାଗମ କଳସଯାତ୍ରାରେ ଅମିତ୍‌ ଶାହ, ରାଜନାଥଙ୍କ ଯୋଗଦାନ

ଏହାବ୍ୟତୀତ ବାଜପେୟୀଙ୍କ ସମ୍ମାନରେ ରାଜ୍ୟଗୁଡ଼ିକ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଛି। ମଧ୍ୟପ୍ରଦେଶ ଏବେ ସୁଦ୍ଧା ୩ଟି ପୁରସ୍କାର ଘୋଷଣା କରିଥିବା ବେଳେ ଉତ୍ତର ପ୍ରଦେଶ ପକ୍ଷରୁ ରାଜ୍ୟରେ ବାଜପେୟୀଙ୍କ ସ୍ମାରକ ନିର୍ମାଣ କରାଯାଉଛି। ଏହି ସ୍ମାରକ ଆଗ୍ରାର ବଟେଶ୍ୱର, କାନପୁର, ବଳରାମପୁର ଏବଂ ଲକ୍ଷ୍ନୌରେ ନିର୍ମାଣ କରାଯିବ। ବଳରାମପୁର ସଂସଦୀୟ କ୍ଷେତ୍ରରୁ ବାଜପେୟୀ ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଏବଂ ଲକ୍ଷ୍ନୌ ତାଙ୍କର କର୍ମଭୂମି ରହିଥିଲା।

ଉଲ୍ଲେଖଯୋଗ୍ୟ, ଦୀର୍ଘଦିନ ଧରି ରୋଗଶଯ୍ୟାରେ ରହି ଦିଲ୍ଲୀ ଏମ୍ସ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ରାଜନୀତିର ଅଜାତଶତ୍ରୁ ତଥା ମହାନ୍‌ ଜନନାୟକ ଏବଂ କବି ବାଜପେୟୀ ଗତ ୧୬ ତାରିଖରେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। ଏହାର ପରଦିନ ଅର୍ଥାତ୍‌ ୧୭ ତାରିଖରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଦିଲ୍ଲୀର ସ୍ମୃତିସ୍ଥଳରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଗୃହମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର