ତାମିଲନାଡ଼ୁର ୪ ଜିଲ୍ଲା ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌

ଚେନ୍ନାଇ: ତାମିଲନାଡ଼ୁରେ ସଂକ୍ରମଣ ମାମଲା ବଢ଼ି ଚାଲିଥିବାରୁ ରାଜ୍ୟ ସରକାର ଜୁନ୍‌ ୧୯ରୁ ୩୦ ତାରିଖ ପର୍ଯ୍ୟନ୍ତ ୪ଟି ଜିଲ୍ଲାରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଚେନ୍ନାଇ, ଚେଙ୍ଗଲପଟ୍ଟୁ, ତିରୁଭଲ୍ଲୁର ଏବଂ କାଞ୍ଚିପୁରମ୍‌ରେ ୧୨ ଦିନ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଜାରି ହେବ। ତେବେ କେବଳ ଅତ୍ୟାବଶ୍ୟକ ସେବା ତଥା ହସ୍ପିଟାଲ୍‌, ଟେଷ୍ଟିଂ ‌ସେଣ୍ଟର, ଲ୍ୟାବ୍‌ ଏବଂ ମେଡିକାଲ ସଂକ୍ରାନ୍ତ କାର୍ଯ୍ୟ ପାଇଁ ନିୟମ ସାମାନ୍ୟ କୋହଳ ରହିବ। ପୂର୍ବ ପରି ଟ୍ରେନ୍‌ ଏବଂ ବିମାନ ସେବା ଜାରି ରହିବ।

ଏମର୍ଜେନ୍ସି ସେବାକୁ ଛାଡ଼ିଦେଲେ ଉପରୋକ୍ତ ଜିଲ୍ଲାମାନଙ୍କରେ କ୍ୟାବ୍‌ ଏବଂ ଅଟୋରିକ୍ସା ବି ଚାଲିବନି। ଲୋକମାନଙ୍କୁ ଯାନବାହନ ବ୍ୟବହାର କରିବାକୁ ମନା କରାଯାଇଛି। ୨ କିମି ଅଞ୍ଚଳ ମଧ୍ୟରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି କରିବାକୁ ଯାଇପାରିବେ ବୋଲି କୁହାଯାଇଛି। ସରକାରୀ ଅଫିସ୍‌ ଗୁଡ଼ିକ ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ। ଅନ୍ୟପ‌କ୍ଷେ ଅବରୋଧ ଅଞ୍ଚଳରେ କୌଣସି କର୍ମଚାରୀଙ୍କୁ କାମରେ ‌ଯୋଗ ‌ନଦେବାପାଇଁ କୁହାଯାଇଛି। ତେବେ ଜୁନ୍‌ ୨୯ ଏବଂ ୩୦ ତାରିଖରେ ବ୍ୟାଙ୍କ୍‌ ଖୋଲିବ। ଉକ୍ତ ଜିଲ୍ଲା ଗୁଡ଼ିକରେ ସକାଳ ୬ରୁ ଦିନ ୨ ଟା ପର୍ଯ୍ୟନ୍ତ ସଉଦା ଏବଂ ପରିବା ଦୋକାନ, ସକାଳ ୬ରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ‌ହୋଟେଲ୍‌ ଏବଂ ରେସ୍ତୋରାଁ ଖୋଲିବ। କିନ୍ତୁ କୌଣସି ଲୋକ ଏସବୁ ସ୍ଥାନରେ ଖାଇପାରି‌ବେନି। ଉପରୋକ୍ତ ଜିଲ୍ଲାଗୁଡ଼ିକରେ ପାନ ଦୋକାନ ଖୋଲିବନି। ଏହାବାଦ୍‌ ଜୁନ୍‌ ୧୯ରୁ ୩୦ ମଧ୍ୟରେ ଥିବା ରବିବାର ଗୁଡ଼ିକ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ହେବ।

ସମ୍ବନ୍ଧିତ ଖବର