ଶୁକ୍ରବାରଦିନ ବଜେଟ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ, କୃଷକ, ନୂଆ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ରହିବା ସମ୍ଭାବନା

ନୂଆଦିଲ୍ଲୀ : ଆସନ୍ତା କାଲି ଅର୍ଥାତ ଶୁକ୍ରବାରଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ଏହାକୁ ପୂର୍ବାହ୍ଣ ୧୧ଟାରୁ ୧୨ଟା ମଧ୍ୟରେ ଉପସ୍ଥାପନ ହେବାର ସମ୍ଭାବନା ରହିଛି । ଅର୍ଥମନ୍ତ୍ରୀଭାବେ ଏହା ହେବ ନିର୍ମଳାଙ୍କ ପ୍ରଥମ ବଜେଟ । ସାଧାରଣ ନିର୍ବାଚନ ପୂର୍ବରୁ ଗତ ଫେବ୍ରୁଆରୀ ମାସରେ କେନ୍ଦ୍ର ସରକାର ଲେଖାନୁଦାନ ବା କାମଚଳା ବଜେଟ ଉପସ୍ଥାପନ କରିଥିଲେ । କିନ୍ତୁ ଏଥର ଯେଉଁ ବଜେଟ ହେବ ତାହା ପୂର୍ଣ୍ଣାଙ୍ଗ ବଜେଟ ହେବ ।

ଏହି ବଜେଟରେ ମୋଦି ସରକାରଙ୍କ ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ କେତେକ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ଘୋଷଣା କରାଯାଇପାରେ । ବିଶେଷକରି କୃଷକ, ନାରୀ ଓ ନୂଆ ନିଯୁକ୍ତି ସୃଷ୍ଟି ଉପରେ ସରକାର ଗୁରୁତ୍ୱ ଦେଇପାରନ୍ତି । ସେହିପରି ଆୟକର ଛାଡ ସୀମା ବୃଦ୍ଧି ସମ୍ପର୍କରେ ଗତ କାମଚଳା ବଜେଟରେ ଯେଉଁ ଘୋଷଣା କରାଯାଇଥିଲା, ସରକାର ତାକୁ ଦୋହରେଇ ପାରନ୍ତି । ଆଜି ଉପସ୍ଥାପିତ ଅର୍ଥନୈତିକ ସର୍ଭେରେ ନୂଆ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିବାରୁ ସରକାର ସେଥିପାଇଁ କେତେକ ପଦକ୍ଷେପ ଘୋଷଣା କରିପାରନ୍ତି ।

ସମ୍ବନ୍ଧିତ ଖବର