ରାଜନୈତିକ ଚାପରେ ଚୋରି ଛେଳି ଉଦ୍ଧାର କଲେ ପୁଲିସ; ମାଲିକାଣୀ କହିଲେ ଏ ଛେଳି, ସେ ଛେଳି ନୁହଁ

ଅହମଦାବାଦ: ସିଟି ପୁଲିସ, ରେଳବାଇ ପୁଲିସ, ରାଜନୈତିକ ଚାପ ଓ ଦୁଇ ସହର- ସୁରତ ଓ ଅହମଦାବାଦ ମଧ୍ୟରେ ଧାଅାଁ ଧପଡ଼ ହୋଇ ଚଳା ଯାଇଥିବା ଏକ ଅଭିଯାନ ବଳରେ ସୁରତ ରେଳବାଇ ଷ୍ଟେସନ୍‌ରୁ ମୁମ୍ବାଇ ଅଭିମୁଖେ ବାହାରି ଥିବା ଏକ ଟ୍ରେନ୍‌ରୁ ଗୋଟାଏ ଛେଳି ଜବତ ହୋଇ ଅହମଦାବାଦ ଅଣାଗଲା। କିନ୍ତୁ, ଶେଷକୁ ଜଣାପଡ଼ିଲା ସେଇଟା ପୁଲିସମାନେ ଖୋଜୁଥିବା ଅସଲ ଛେଳି ନୁହେଁ।

ଘଟଣାଟି ଏମିତି: ନିକଟରେ ଅସରଓ୍ଵା ଅଞ୍ଚଳରୁ ଗୋଟାଏ ଛେଳି ଚୋରି ହୋଇଥିଲା। ଦେଖଣାହାରିମାନେ କହନ୍ତି, ଗୋଟାଏ ଧଳା ଇକୋ କାର୍‌ରେ କେତେକ ଅଜ୍ଞାତ ବ୍ୟକ୍ତି ଛେଳିଟିକୁ ନେଇ ଯାଇଛନ୍ତି। ସେ ଅଞ୍ଚଳର ବିଧାୟକ ପ୍ରଦୀପ ପାରମର କହନ୍ତି, ଛେଳିଟି ବୃହଦାକାର ଏବଂ ତା’ର ମାଲିକାଣୀ ପାଟନି ପରିବାର ତାଙ୍କ ପୁଅ ବାହାଘରରେ ତାକୁ ବିକିବା ପାଇଁ ପାଳିଥିଲେ।

ଛେଳି ଚୋରି ହୋଇଯିବା ପରେ ମତେ ଖବର ମିଳିଥିଲା। ମୁଁ ପୁଲିସକୁ କହିଲି। କିନ୍ତୁ, ସେ ପରିବାର କୁଆଡୁ ଖବର ପାଇଲେ କି, ସେ ଛେଳିଟିକୁ ଗାର୍ଡ କୋଚ୍‌ରେ ମୁମ୍ବାଇ ଚାଲାଣ କରାଯାଉଛି।

ରେଳବାଇ ପୁଲିସକୁ ଖବର ଦିଆଯିବାରୁ ସେମାନେ ସୁରତରେ ଛେଳିଟିକୁ ଜବତ କରିଥିଲି। ପରେ ସେ ପରିବାର ସୁରତ ଯାଇ ଛେଳିଟିକୁ ଅହମଦାବାଦ ଆଣିଥିଲେ।

ସେମାନେ ଗରିବ ପରିବାର ଏବଂ ଛେଳିର ମୂଲ୍ୟ ୮୦, ୦୦୦ ଟଙ୍କା ହୋଇଥିବାରୁ ମୁଁ ଛେଳିଟିକୁ ଖୋଜାଇବାକୁ ଉଦ୍ୟମ କରିଥିଲି। ୮୦ ହଜାର ବହୁତ ଗୁଡ଼ାଏ ଟଙ୍କା ହୋଇଥିବାରୁ ମୁଁ ଛେଳିଟିକୁ ଖୋଜାଇବାକୁ ସମସ୍ତଙ୍କୁ ଲଗାଇଥିଲି ବୋଲି ପାରମର କହନ୍ତି।

ଛେଳିର ମାଲିକାଣୀ ମଧୁବେନ୍‌ କେଶଭାଇ କହନ୍ତି: ଆମ ବିଧାୟକ ପ୍ରଦୀପ ପାରାମରଙ୍କ ହସ୍ତକ୍ଷେପ ପରେ ଆମେ ସୁରତରୁ ଅହମଦାବାଦକୁ ଛେଳିଟିକୁ ଆଣିଲୁ। କିନ୍ତୁ, ଆଣିଲା ପରେ ଜାଣିଲୁ ଛେଳିଟିର କାନରେ ଏକ ନିର୍ଦ୍ଦିଷ୍ଟ ଚିହ୍ନ ଅଛି ଯାହା ଆମ ଛେଳିର କାନରେ ନ ଥିଲା। ତୁରନ୍ତ ଆମେ ମେଘନିନଗର ପୁଲିସ ହସ ଯୋଗାଯୋଗ କରି ଛେଳିଟିକୁ ଫେରାଇ ଦେଲୁ।

ସେଇଟା ଆମ ଛେଳି ନୁହେଁ, ଆମେ କେମିତି ରଖି ଥାଆନ୍ତୁ? ବୋଲି ମାଲିକାଣୀ କହନ୍ତି।

ମେଘନିନଗର ପୁଲିସ କହେ ଯେ ତା’ପରେ ଛେଳିଟିକୁ ଥାନାକୁ ଅଣାଗଲା। ଛେଳିର ପ୍ରକୃତ ମାଲିକ ସମସ୍ତ କାଗଜପତ୍ର ସହ ଥାନାରେ ପହଞ୍ଚିଲାରୁ ଉପଯୁକ୍ତ ଯାଞ୍ଚ ପରେ ତାଙ୍କୁ ଛେଳିଟିକୁ ଫେରାଇ ଦିଆଗଲା।

ସମ୍ବନ୍ଧିତ ଖବର