‘ଖୁସିରେ ମାରି ନ ଥିଲେ’: ଶେଷ ଚିତାକୁ ଶିକାର କରିଥିବା ରାଜାଙ୍କ ନାତୁଣୀ

ନୂଆଦିଲ୍ଲୀ : ଭାରତରେ ଚିତା ବଂଶ ୭୦ ବର୍ଷ ତଳେ ଲୋପ ପାଇଯାଇଥିଲା ଯେତେବେଳେ ଶେଷ ଚିତାକୁ ରାଜା ରାମାନୁଜ ପ୍ରତାପ ସିଂହ ଶିକାର କରିଥିଲେ। ତେଣୁ ରାଜାଙ୍କୁ ଶେଷ ଚିତାର ହତ୍ୟାକାରୀ ଭାବେ ଅଭିହିତ କରାଯାଉଥିବା ବେଳେ ତାଙ୍କ ନାତୁଣୀ ତଥା ଛତିଶଗଡ଼ କଂଗ୍ରେସ ବିଧାୟିକା ଅମ୍ବିକା ସିଂହଦେଓ ସଫେଇ ଦେଇଛନ୍ତି ଯେ, ତାଙ୍କ ଜେଜେବାପା ୧୯୪୭ ମସିହାରେ ଶେଷ ଜୀବିତ ତିନୋଟି ଚିତାଙ୍କୁ ଆମୋଦ ପାଇଁ ଶିକାର କରି ନ ଥିଲେ। ଗ୍ରାମବାସୀଙ୍କୁ ବାଘ କବଳରୁ ବଞ୍ଚାଇବା ପାଇଁ ସେ ଶିକାର କରିଥିଲେ ବୋଲି ଅମ୍ବିକା କହିଛନ୍ତି।

ଅମ୍ବିକା ୧୯୬୮ରେ ଜନ୍ମ ହୋଇଥିବା ବେଳେ ତାଙ୍କ ଜେଜେବାପାଙ୍କ ମୃତ୍ୟୁ ହୋଇଥିଲା ୧୯୫୮ରେ। କିନ୍ତୁ ପିଲାଦିନୁ ଶିକାରକୁ ନେଇ ସେ ଅନେକ କାହାଣୀ ଓ କିମ୍ବଦନ୍ତୀ ତଥା ତାଙ୍କ ପୂର୍ବପୁରୁଷଙ୍କ ଶିକାର କଥା ମଧ୍ୟ ଶୁଣିଛନ୍ତି।

୧୯୪୦ ମସିହାରେ ତାଙ୍କ ଜେଜେବାପା ଯେତେବେଳେ ରାଜ୍ୟ ବାହାରକୁ ଯାଇଥିଲେ ସେତେବେଳେ ଏକ ନରଖାଦକ ଗାଁମାନଙ୍କରେ ଆତଙ୍କ ସୃଷ୍ଟି କରିଥିଲା। ତାଙ୍କ ବାପା ମହେନ୍ଦ୍ର ପ୍ରତାପ ସିଂହ ବାଘକୁ ଶିକାର କରି ଗ୍ରାମବାସୀଙ୍କୁ ନିର୍ଭୟ କରିଥିଲେ। ସେତେବେଳେ ତାଙ୍କ ବାପାଙ୍କ ବୟସ ଥିଲା ମାତ୍ର ୧୨ ବର୍ଷ। ଅମ୍ବିକାଙ୍କ କହିବା ଅନୁସାରେ ରାଜପରିବାରଗୁଡ଼ିକ କେବଳ ନରଖାଦକମାନଙ୍କ ଶିକାର କରୁଥିଲେ, ମଣିଷଙ୍କୁ ସେମାନଙ୍କ କବଳରୁ ବଞ୍ଚାଇବା ପାଇଁ। ତାଙ୍କ ଜେଜେବାପା ମଧ୍ୟ ଲୋକଙ୍କୁ ବଞ୍ଚାଇବା ପାଇଁ ବାଘ ଶିକାର କରିଥିଲେ।

ସମ୍ବନ୍ଧିତ ଖବର