ଦିଲ୍ଲୀରେ ହିଂସା : ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଗାଡ଼ି ଭାଙ୍ଗିବା ସହ ପୁଲିସକୁ ଆକ୍ରମଣ କଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀର ପୁରୀରେ ହନୁମାନ ଜୟନ୍ତୀକୁ ନେଇ ଉତ୍ତେଜନା ଦେଖାଦେଇଛି । ହନୁମାନ ଜୟନ୍ତୀ ଶୋଭାଯାତ୍ରା ଚାଲିଥିବା ବେଳେ କିଛି ଦୁର୍ବୃତ୍ତ ଅନେକ ଗାଡି ଭଙ୍ଗାରୁଜା କରିବା ସହ ପୁଲିସ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଥିବା ଜଣାପଡ଼ିଛି। ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ଯାଉଥିବା ବେଳେ ଏହି ହିଂସା ଆରମ୍ଭ ହୋଇଥିଲା। ଦୁର୍ବୃତ୍ତମାନେ ରାସ୍ତାରେ ଯାଉଥିବା ଯାନବାହନ ଭଙ୍ଗାରୁଜା କରିବାରୁ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲା। ହେଲେ ଦୁର୍ବୃତ୍ତମାନେ ପୁଲିସକୁ ମଧ୍ୟ ଛାଡ଼ି ନଥିଲେ।

ଏହି ଘଟଣା ଘଟିବା ସମୟର ଭିଡିଓ ସାମ୍ନାକୁ ଆସିଥିବା ବେଳେ ଲୋକେ ଭୟଭୀତ ହୋଇ ଏଣେତେଣେ ପଳାଇ ଯାଉଥିବାର ଦେଖାଯାଉଛି। କୁହାଯାଉଛି ଯେ ଯେତେବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କଲା, ସେତେବେଳେ ଦୁର୍ବୃତ୍ତମାନେ ପଥର ଫିଙ୍ଗି  ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ପଥର ମାଡ଼ କରିବା ସହ ଗୁଳି ମଧ୍ୟ ଚଳାଇଥିଲେ ବୋଲି ଅଭିଯୋଗ ହୋଇଛି । ଏହି ସମୟରେ ଜଣେ ପୁଲିସକର୍ମୀ ଦୁର୍ବୃତ୍ତଙ୍କ ଗୁଳିର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ବାବୁ ଜଗଜୀବନ ରାମ ହସ୍ପିଟାଲକୁ ନିଆଯାଇଛି। ଘଟଣାକୁ ନେଇ ଭିନ୍ନ ଭିନ୍ନ ଖବର ଆସୁଥିବା ବେଳେ ପୁଲିସ ଏହି ଘଟଣାକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହିଁ।

ଏହି ଘଟଣା ବିଷୟରେ ଦିଲ୍ଲୀର ପୁଲିସ କମିସନରଙ୍କୁ ପଚରାଯିବାରୁ ସେ କେବଳ କହିଛନ୍ତି ବର୍ତ୍ତମାନ ସବୁକିଛି ନିୟନ୍ତ୍ରଣରେ ରହିଛି ଏବଂ ଏହି ହିଂସା ଘଟାଇଥିବା ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦିଲ୍ଲୀର ସବୁ ସ୍ଥାନରେ ଏବେ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର