ହରିୟାଣା ବିଧାନସଭା ନିର୍ବାଚନ ରଣାଙ୍ଗନରେ ବିଜେପି ପ୍ରାର୍ଥୀ ହେବେ ୩ କ୍ରୀଡ଼ାବିତ୍‌; ମହାରାଷ୍ଟ୍ରରେ ଥାକ୍‌ରେ ପରିବାରର ତୃତୀୟ ପିଢ଼ିର ପ୍ରଥମ ନେତା ଭାବେ ମଇଦାନକୁ ଓହ୍ଲାଇବେ ଆଦିତ୍ୟ

ନୂଆଦିଲ୍ଲୀ/ ମୁମ୍ବାଇ: ନିକଟରେ ଅନୁଷ୍ଠିତ ହେବାକୁ ଯାଉଥିବା ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କିଛି ନୂଆ ମୁହଁଙ୍କୁ ଦେଖିବାକୁ ମିଳିବ। ଏହିକ୍ରମରେ ହରିୟାଣା ଓ ମହାରାଷ୍ଟ୍ର ନିର୍ବାଚନ ରଣାଙ୍ଗନରେ ନିଶ୍ଚିତ ରୂପେ ୪ଟି ନୂଆମୁହଁ ଅବତୀର୍ଣ୍ଣ ହେଉଥିବା ଆଜି ସ୍ପଷ୍ଟ ହୋଇଯାଇଛି।

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ୭୮ଟି ଆସନ ପାଇଁ ଯେଉଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ସେଥିରେ ଦଳୀୟ ପ୍ରାର୍ଥୀ ଭାବେ ୩ ଜଣ କ୍ରିଡ଼ାବିତ୍‌ ନିର୍ବାଚନ ଲଢ଼ୁଥିବା ଜାଣିବାକୁ ମିଳିଛି। ମଲ୍ଲଯୋଦ୍ଧା ବା କୁସ୍ତି ଖେଳାଳି ଯୋଗେଶ୍ୱର ଦତ୍ତ ଓ ବବିତା ଫୋଗଟ୍‌ଙ୍କୁ ଦଳ ନିଜର ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଯୋଗେଶ୍ୱର ଦତ୍ତ ହରିୟାଣାର ବାରୋଦା ବିଧାନସଭା କ୍ଷେତ୍ରରୁ ବିଜେପିର ଦଳୀୟ ପ୍ରାର୍ଥୀ ହୋଇଥିବା ବେଳେ ବବିତା ଫୋଗଟ୍‌ ଦାଦ୍‌ରୀ ବିଧାନସଭା କ୍ଷେତ୍ରରୁ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେହିପରି ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ସନ୍ଦୀପ୍‌ ସିଂହ ପିହୋଓ୍ଵା ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଆଜି ବିଜେପି ପକ୍ଷରୁ ଘୋଷଣା କରାଯାଇଛି।

ମହାରାଷ୍ଟ୍ର: ଥାକ୍‌ରେ ପରିବାରର ତୃତୀୟ ପିଢ଼ିର ପ୍ରଥମ ନେତା ଭାବେ ମଇଦାନକୁ ଓହ୍ଲାଇଲେ ଆଦିତ୍ୟ ଥାକ୍‌ରେ

 

Hindustan Times

ଶିବସେନାର ପ୍ରତିଷ୍ଠାତା ସ୍ୱର୍ଗତ ବାଲା ସାହେବ୍‌ ଥାକ୍‌ରେଙ୍କ ନାତି ତଥା ବର୍ତ୍ତମାନର ଶିବସେନା ମୁଖ୍ୟ ଉଦ୍ଧବ ଥାକ୍‌ରେଙ୍କ ସୁପୁତ୍ର ଅଦିତ୍ୟ ଥାକ୍‌ରେଙ୍କୁ ମଧ୍ୟ ଚଳିତ ମହାରାଷ୍ଟ୍ର ବିଧାନସଭାର ନିର୍ବାଚନର ନିର୍ବାଚନୀ ମଇଦାନରେ ଦେଖିବା ପାଇଁ ମିଳିବ। ମହାରାଷ୍ଟ୍ରର ସମ୍ମାନଜନକ ଓ୍ଵରଲି ବିଧାନସଭାର କ୍ଷେତ୍ରରୁ ଶିବସେନାର ଦଳୀୟ ପ୍ରାର୍ଥୀ ହେବେ ଆଦିତ୍ୟ।

ଆଜି ଶିବସେନା ପକ୍ଷରୁ ଦଳୀୟ କର୍ମୀମାନଙ୍କୁ ନେଇ ଆୟୋଜିତ ଏକ ବିଶାଳ ର‍୍ୟାଲିରେ ୨୯ ବର୍ଷ ବୟସ୍କ ଆଦିତ୍ୟ ନିଜର ପ୍ରାର୍ଥୀତ୍ୱ ସଂପର୍କରେ ଘୋଷଣା କରିବା ସହ କହିଛନ୍ତି ଯେ ଓ୍ଵରଲି ତାଙ୍କର ନିର୍ବାଚନୀ କ୍ଷେତ୍ର ହେବାବେଳେ ସମଗ୍ର ମହାରାଷ୍ଟ୍ର ହେବ ତାଙ୍କର କର୍ମଭୂମି।

ସମ୍ବନ୍ଧିତ ଖବର