ଶ୍ରେଣୀରେ ଛାତ୍ରୀମାନଙ୍କୁ ‘ପ୍ରେମ ସୂତ୍ର’ ପଢ଼ାଉ ଥିଲେ ଗଣିତ ଅଧ୍ୟାପକ; ଭିଡିଓ ହେଲା ଭାଇରାଲ, ଅଧ୍ୟାପକ ନିଲମ୍ବିତ

ସରକାରୀ ମହିଳା ମହାବିଦ୍ୟାଳୟରେ ‘ପ୍ରେମ ଗୁରୁ’ଙ୍କ ନିଆରା କାରନାମା!

ଚଣ୍ଡୀଗଡ଼ (ହରିୟାଣା): ପୁଣି ଜଣେ ‘ପ୍ରେମ ଗୁରୁ’ଙ୍କ ନିଆରା କାରନାମାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା। ଏଇ ‘ପ୍ରେମ ଗୁରୁ’ ଜଣକ ହେଉଛନ୍ତି ହରିୟାଣାର ଏକ ସରକାରୀ ମହିଳା ମହାବିଦ୍ୟାଳୟର ଗଣିତ ଅଧ୍ୟାପକ ଚରଣ ସିଂହ।

ଗଣିତ ଅଧ୍ୟାପକ ଚରଣ ସିଂହ ତାଙ୍କ ଶ୍ରେଣୀଗୃହରେ ଛାତ୍ରୀମାନଙ୍କୁ ‘ଗଣିତ ସୂତ୍ର’ ବଦଳରେ ପଢ଼ାଉ ଥିଲେ ‘ପ୍ରେମ ସୂତ୍ର’। ହେଲେ, ଶ୍ରେଣୀ କକ୍ଷରେ ଅଧ୍ୟାପକ ସିଂହ ‘ପ୍ରେମ ସୂତ୍ର’ ପଢ଼ାଉଥିବା ବେଳର ଦୃଶ୍ୟକୁ ଜନୈକା ଛାତ୍ରୀ ନିଜ ମୋବାଇଲରେ ରେକର୍ଡିଂ କରି ସୋସିଆଲ ମିଡିଆରେ ଛାଡ଼ିଦେବା ପରେ ଭିଡିଓଟି ଏବେ ଭାଇରାଲ ହେବା ସହ ଏହାକୁ ନେଇ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା। ଘଟଣା ପ୍ରଘଟ ହେବା ପରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସଂପୃକ୍ତ ‘ପ୍ରେମ ଗୁରୁ’ ଚରଣ ସିଂହଙ୍କୁ ଚାକିରିରୁ ନିଲମ୍ବିତ କରିଥିବା ଜାଣିବାକୁ ମିଳିଛି।

Photo Credit: Screenshot from the video

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ‘ପ୍ରେମ ଗୁରୁ’ ଚରଣ ସିଂହ ଛାତ୍ରୀମାନଙ୍କ ନିକଟତର ହେବା ପାଇଁ ସେମାନଙ୍କୁ ‘ପ୍ରେମ ସୂତ୍ର’ ପଢ଼ାଉ ଥିଲେ। ‘ପ୍ରେମ ସୂତ୍ର’କୁ ଛାତ୍ରୀମାନଙ୍କୁ ବୁଝାଇବାକୁ ଯାଇ ପ୍ରେମ ଗୁରୁ ବ୍ଲାକ୍‌ବୋର୍ଡରେ ଲେଖିଥିଲେ: ‘କ୍ଲୋଜ୍‌ନେସ୍‌ – ଆଟ୍ରାକ୍‌ସନ୍‌ = ଫ୍ରେଣ୍ଡସିପ୍‌’; ‘କ୍ଲୋଜ୍‌ନେସ୍‌ + ଆଟ୍ରାକ୍‌ସନ୍‌ = ରୋମାଣ୍ଟିକ୍‌ ଲଭ୍‌’ ଏବଂ ‘ଆଟ୍ରାକ୍‌ସନ୍‌ – କ୍ଲୋଜ୍‌ନେସ୍‌ = କ୍ରସ୍‌’… ଇତ୍ୟାଦି, ଇତ୍ୟାଦି!

‘ପ୍ରେମ ସୂତ୍ର’ ସବୁ ଖାଲି ପଢ଼ାଉ ନଥିଲେ ସେସବୁକୁ ବ୍ଲାକ୍‌ବୋର୍ଡରେ ଲେଖି ତାହାର ତର୍ଜମା ଓ ବାଖ୍ୟା କରିବା ସହ ସେଇ ସୂତ୍ରର ବ୍ୟବହାର ଓ ପାଳନ କଲେ ନିଜର ପ୍ରେମ ଓ ବୈବାହିକ ଜୀବନ କିପରି ସୁଖପ୍ରଦ ହୋଇପାରିବ, ସେ ସଂପର୍କରେ ମଧ୍ୟ ଛାତ୍ରୀମାନଙ୍କୁ ବିଶଦ ଭାବେ ବୁଝାଉ ଥିଲେ ‘ପ୍ରେମ ଗୁରୁ’ ଚରଣ ସିଂହ। ହେଲେ, ‘ପ୍ରେମ ଗୁରୁ’ଙ୍କ ପାଠପଢ଼ା ବେଳର ଭିଡିଓ ଭାଇରାଲ ହେବା ଘଟଣା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।

ସମ୍ବନ୍ଧିତ ଖବର