ଆସ୍ଥା ଭୋଟ୍‌ ହାରିଲେ କୁମାରସ୍ବାମୀ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ୧୪ ମାସ ପୁରୁଣା ଏଚ୍‌ଡି କୁମାରସ୍ବାମୀଙ୍କ ନେତୃତ୍ବାଧୀନ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରର ଆଜି ପତନ ଘଟିଛି। ରାଜ୍ୟ ବିଧାନସଭାରେ ଆଜି ସନ୍ଧ୍ୟାରେ ହୋଇଥିବା ଆସ୍ଥା ଭୋଟରେ ସେ ୬ଟି ଭୋଟରେ ହାରି ଯାଇଛନ୍ତି। ତାଙ୍କ ସରକାର ସପକ୍ଷରେ ୯୯ଟି ଭୋଟ ପଡ଼ିଥିବା ବେଳେ ୧୦୫ ଜଣ ତାଙ୍କୁ ବିରୋଧ କରିଛନ୍ତି। ଏହାସହିତ ୧୬ ଜଣ ମେଣ୍ଟ ବିଧାୟକଙ୍କ ଇସ୍ତଫା ପରେ ଗତ ଏକ ମାସ ଧରି ରାଜ୍ୟ ରାଜନୀତିରେ ଲାଗି ରହିଥିବା ଅନିଶ୍ଚିତତାର ଅବସାନ ଘଟିଛି। କୁମାରସ୍ବ‌ାମୀ ଇସ୍ତଫା ଦେଇଛନ୍ତି। ରାଜ୍ୟରେ ନୂଆ ସରକାର ଗଠନ କରିବା ଲାଗି ବିଜେପି ନେତା ୟେଦୁରପ୍ପା ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଛନ୍ତି। ଶାସକ ମେଣ୍ଟର ୧୬ ବିଧାୟକଙ୍କ ଇସ୍ତଫା ଏବଂ ଦୁଇ ଜଣ ସ୍ବାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର କରେ କୁମାରସ୍ବାମୀ ସରକାର ବିଧାନସଭାରେ ସଂଖ୍ୟାଗରିଷ୍ଠତା ହରାଇଥିଲା। ଗତ ଶୁକ୍ରବାର ଦିନ ଆସ୍ଥା ଭୋଟ ଲାଗି ଦିନ ଧ‌ାର୍ଯ୍ୟ ହୋଇଥି‌େଲ ମଧ୍ୟ ଏହାକୁ ଗତକାଲି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। ଶେଷରେ ଆଜି ସନ୍ଧ୍ୟା ସୁଦ୍ଧା ଆସ୍ଥା ଉପରେ ଭୋଟ୍ ଲାଗି ବାଚସ୍ପତି ରମେଶ କୁମାର ସମୟ ଧାର୍ଯ୍ୟ କରିଥିଲେ। ତେବେ ଆଜି ମଧ୍ୟ କୁମାରସ୍ବାମୀ ସରକାର ଏହାକୁ ଟାଳିବାକୁ ଉଦ୍ୟମ କରିଥିଲେ। କିନ୍ତୁ ବାଚସ୍ପତି ଏଥିଲାଗି ଅନୁମତି ଦେଇନଥିଲେ। ଆଜି ସନ୍ଧ୍ୟାରେ ହିଁ ଭୋଟ ପାଇଁ ସେ କହିଥିଲେ। ଆସ୍ଥ‌ା ପ୍ରସ୍ତାବ ଉପରେ ଆଲୋଚନା ଏବଂ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ମତଦାନ କରାଯାଇଥିଲା। ମତଦାନ ବେଳେ ମେଣ୍ଟର ୨୦ ଜଣ ବିଧାୟକ ଅନୁପସ୍ଥିତ ଥିଲେ। ସରକାରୀ ଦଳ ବାଚନିକ ଭୋଟ ଲାଗି ଦାବି କରିଥିବା ବେଳେ ବିଜେପି ମତ ବିଭାଜନ ପାଇଁ କହିଥିଲା। ଶେଷରେ‌ ମତ ବିଭାଜନ ହୋଇଥିଲା। ବିଧାନସଭା କର୍ମଚାରୀ ଧାଡ଼ି ଧାଡ଼ି ବୁଲି ସପକ୍ଷବାଦୀ ଓ ବିପକ୍ଷ ବିଧାୟକମାନଙ୍କ ଗଣତି କରିଥିଲେ। ଏହାପରେ ବାଚସ୍ପତି ଘୋଷଣା କରିଥିଲେ ଯେ ଆସ୍ଥା ସପକ୍ଷରେ ୯୯ଟି ଭୋଟ୍ ପଡ଼ିଛି ଏବଂ ୧୦୫ ଜଣ ଏହାର ବିରୋଧ କରିଛନ୍ତି। ଆସ୍ଥା ଭୋଟ ପୂର୍ବରୁ ରାଜଧାନୀ ବେଙ୍ଗାଲୁରୁରେ‌ ଦୁଇ ଜଣ ସ୍ବାଧୀନ ବିଧାୟକଙ୍କୁ ନେଇ କଂଗ୍ରେସ ଏବଂ ବିଜେପି କର୍ମୀ ମୁହାଁମୁହିଁ ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ୧୪୪ ଧାରା ଜାରି କରାଯିବା ସହିତ ବହୁସଂଖ୍ୟକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ଗତବର୍ଷ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ହୋଇଥିଲା। କିନ୍ତୁ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନଥିଲା। ୨୨୫ ସଭ୍ୟ ବିଶିଷ୍ଟ ବିଧାନସଭାରେ ବିଜେପି ସର୍ବାଧିକ ୧୦୪ ଆସନ ପାଇଥିବା ବେଳେ କଂଗ୍ରେସକୁ ୮୦ ଏବଂ ଜେଡିଏସକୁ ୩୭ ଆସନ ମିଳିଥିଲା। ସରକାର ଗଠନ ପାଇଁ ପ୍ରଥମେ ବିଜେପିକୁ ସୁଯୋଗ ମିଳିଥିଲା। କିନ୍ତୁ ଆସ୍ଥା ଭୋଟ ପୂର୍ବରୁ ବିଜେପି ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଇସ୍ତଫା ଦେଇଥିଲେ। ଏହାପରେ ଜେଡିଏସ୍ ନେତା କୁମାରସ୍ବାମୀଙ୍କ ନେତୃତ୍ବରେ କଂଗ୍ରେସ-ଜେଡିଏସ୍ ସରକାର ଗଠନ ହୋଇଥିଲା। ମେଣ୍ଟ ପ୍ରତି ୧୧୮ ବିଧାୟକଙ୍କର ସମର୍ଥନ ଥିଲା। ତେବେ ଗତମାସ ମେଣ୍ଟର ୧୬ ବିଧାୟକ ବିଧାନସଭାରୁ ଇସ୍ତଫା ଦେବା ପରେ ସଙ୍କଟ ଆରମ୍ଭ ହୋଇଥିଲା। ଦୁଇ ଜଶ ସ୍ବାଧୀନ ବିଧାୟକ ମଧ୍ୟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିଲେ। ଏ‌ହି କାରଣରୁ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିଲା। ଆଜି ଆସ୍ଥା ଭୋଟ ବେଳେ ୨୨୪ ଜଣଙ୍କ ମଧ୍ୟରୁ ୨୦୪ ଜଣ ବିଧାୟକ ଉପସ୍ଥିତ ଥିଲେ। ମେଣ୍ଟରୁ ଇସ୍ତଫା ଦେଇଥିବା ୧୬ ଜଣ ବିଧାୟକ ଓ ଅନ୍ୟ ୪ ଜଣ (୨୦ ଜଣ)ଅନୁପସ୍ଥିତ ଥିଲେ। ଆସ୍ଥା ଭୋଟ ଜିତିବା ଲାଗି ୧୦୩ ବିଧାୟକଙ୍କ ସମର୍ଥନ ଦରକାର ଥିବା ବେଳେ ସରକାରକୁ ମିଳିଥିଲା ମାତ୍ର ୯୯ଟି ଭୋଟ୍। ଆସ୍ଥା ଭୋଟ ହାରିବା ପରେ କୁମାରସ୍ବାମୀ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି। ବିଜେପି ନେତା ୟେଦୁରପ୍ପାଙ୍କ ନେତୃତ୍ବରେ‌ ନୂଆ ସରକାର ଆସନ୍ତା ଶୁକ୍ରବାର ଶପଥ ଗ୍ରହଣ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର