ପର୍ଣ୍ଣୋଗ୍ରାଫି ମାମଲା: ବମ୍ବେ ହାଇକୋର୍ଟରେ ଅଗଷ୍ଟ ୨୫ରେ ହେବ ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନର ଶୁଣାଣି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ସାଇବର ସମ୍ବନ୍ଧୀୟ ପର୍ଣ୍ଣୋଗ୍ରାଫି ମାମଲାରେ ବମ୍ବେ ହାଇକୋର୍ଟରୁ ଆଶ୍ବସ୍ତି ପାଇଛନ୍ତି। ବମ୍ବେ ହାଇକୋର୍ଟ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ମଧ୍ୟବର୍ତ୍ତୀକାଳୀନ ସହାୟତା ପ୍ରଦାନ କରିଛନ୍ତି ଏବଂ ଅଗଷ୍ଟ ୨୫ ତାରିଖ ପର୍ଯ୍ୟନ୍ତ ତାଙ୍କ ଜାମିନ ଶୁଣାଣି ସଂରକ୍ଷିତ ରଖିଛନ୍ତି।
ସୂଚନାଯୋଗ୍ୟ, ୨୦୨୦ ମସିହାରେ ରାଜ କୁନ୍ଦ୍ରା ସାଇବର ପୁଲିସ ଦ୍ୱାରା ପଞ୍ଜୀକୃତ ହୋଇଥିବା ମାମଲାରେ ଜାମିନ ଲାଗି ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଗତଥର ତାଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରିଥିଲେ। ଏହା ବିରୋଧରେ ରାଜ କୁନ୍ଦ୍ରା ହାଇକୋର୍ଟରୁ ଜାମିନ ପାଇଁ ପୁଣି ଆବେଦନ କରିଥିଲେ। ବର୍ତ୍ତମାନ କୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଆଶ୍ବସ୍ତି ଦେଇଛନ୍ତି ଏବଂ ତାଙ୍କ ଜାମିନ ଆବେଦନ ଅଗଷ୍ଟ ୨୫ ତାରିଖରେ ଶୁଣାଣି ହେବ।
ରାଜ କୁନ୍ଦ୍ର ତାଙ୍କ ଆବେଦନରେ କହିଛନ୍ତି ଯେ ଗତ ବର୍ଷ ସାଇବର ପୁଲିସ ଦ୍ୱାରା ପଞ୍ଜୀକୃତ ହୋଇଥିବା ଏତଲାରେ ତାଙ୍କ ନାମ ଅନ୍ତର୍ଭୁକ୍ତ ହୋଇନାହିଁ। ଏଥିସହ କୁନ୍ଦ୍ରା କହିଛନ୍ତି ଯେ ସେ ମଧ୍ୟ ପୁଲିସକୁ ନିଜର ବିବୃତ୍ତି ଦେଇଛନ୍ତି ଏବଂ ତଦନ୍ତରେ ସହଯୋଗ କରିବା ପାଇଁ ଅନେକ ଥର ଅନୁସନ୍ଧାନକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। କୁନ୍ଦ୍ର କହିଛନ୍ତି ଯେ ସେ ଅଧିକାରୀଙ୍କୁ ସମସ୍ତ ଆବଶ୍ୟକୀୟ ଦସ୍ତାବିଜ ପ୍ରଦାନ କରିଛନ୍ତି ଏବଂ ଓକିଲ ସାକ୍ଷୀଙ୍କ ବିବୃତ୍ତି ମଧ୍ୟ ରେକର୍ଡ କରାଯାଇଛି।

ଏବେ ରାଜ କୁନ୍ଦ୍ରା ଜେଲରେ ଅଛନ୍ତି। ତେବେ ଅଗଷ୍ଟ ୨୫ ତାରିଖରେ ବମ୍ବେ ଉଚ୍ଚ ନ୍ୟାୟାଳୟ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରୁଛନ୍ତି କି ନା, ତାହା ଉପରେ ରହିଛି ନଜର।

ସମ୍ବନ୍ଧିତ ଖବର