ମମତାଙ୍କୁ କଲିକତା ହାଇକୋର୍ଟଙ୍କ ଧକ୍କା, ସିଏଏ ବିରୋଧୀ ବିଜ୍ଞାପନ ହଟାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ବିରୋଧୀ ବିଜ୍ଞାପନ ହଟାଇବାକୁ କଲିକତା ହାଇକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ୯ ତାରିଖରେ ହେବ। ସେ ପର୍ଯ୍ୟନ୍ତ ସିଏଏ ବିରୋଧୀ ବିଜ୍ଞାପନ ନ ଲଗାଇବାକୁ କଲିକତା ହାଇକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ କହିଛନ୍ତି। ସୂଚନାଯୋଗ୍ୟ, ସିଏଏ ଏବଂ ଏନ୍‌ଆର୍‌ସିକୁ ବିରୋଧ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ ବିଭିନ୍ନ ସ୍ଥାନରେ ବିଜ୍ଞାପନ ଲଗାଯାଇଥିଲା। ପଶ୍ଚିମବଙ୍ଗ ସରକାରଙ୍କ ଏଭଳି ବିଜ୍ଞାପନକୁ ନେଇ ରାଜ୍ୟପାଳ ଜଗଦୀପ ଧନ୍‌ଖଡ଼ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏହାକୁ ତୁରନ୍ତ ହଟାଇବାକୁ ରାଜ୍ୟପାଳ ମଧ୍ୟ ମମତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର, ରାଜ୍ୟ ସରକାରଙ୍କ ଏଭଳି ବିଜ୍ଞାପନ ବିରୋଧରେ ହାଇକୋର୍ଟରେ ୬ଟି ଆବେଦନ ଦାଖଲ ହେବା ପରେ କୋର୍ଟ ଏହା ଉପରେ ବିଚାର କରି ସରକାରଙ୍କୁ ଆସନ୍ତା ଜାନୁଆରି ୯ ତାରିଖ ଯାଏ ବିଜ୍ଞାପନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ସିଏଏକୁ ନେଇ ମମତା କେନ୍ଦ୍ର ସରକାରଙ୍କ ବିରୋଧରେ ଦେଇଥିବା ‘ଜାତିସଂଘ’ ଟିପ୍ପଣୀକୁ ନେଇ ତାଙ୍କୁ କେନ୍ଦ୍ର ଟାର୍ଗେଟ୍‌ କରିଛି। ସିଏଏ ସମ୍ପର୍କରେ ଜାତିସଂଘ ପକ୍ଷରୁ ଗଣମତ ସଂଗ୍ରହ କରାଯିବା ଉଚିତ୍‌ ବୋଲି ମମତା କହିଥିଲେ। ଏହାକୁ ନେଇ ପଶ୍ଚିମବଙ୍ଗ ରାଜ୍ୟପାଳ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର