ନ୍ୟୁଜିଲାଣ୍ଡ ମସ୍‌ଜିଦ୍‌ ଗୁଳିକାଣ୍ଡ: ହାଇଦ୍ରାବାଦର ଯୁବକ ଗୁରୁତର, ୯ ଭାରତୀୟ ବଂଶୋଦ୍ଭବ ନିଖୋଜ

କାଏଷ୍ଟଚର୍ଚ: ନ୍ୟୁଜିଲାଣ୍ଡ୍‌ର କାଏଷ୍ଟଚର୍ଚ ଅନ୍ତର୍ଗତ ଦୁଇଟି ମସ୍‌ଜିଦ୍‌ରେ ହୋଇଥିବା ଗୁଳିକାଣ୍ଡରେ ୪୯ ଜଣ ନିହତ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଏହି ଆହତମାନଙ୍କ ଭିତରେ ହାଇଦ୍ରାବାଦ୍‌ର ଜଣେ ବ୍ୟକ୍ତି ଥିବା ସୂଚନା ରହିଛି। ବ୍ୟକ୍ତି ଜଣକ ହେଉଛନ୍ତି ଅହମ୍ମଦ ଇକବାଲ୍‌ ଜାହାଙ୍ଗିର। ସେ କାଏଷ୍ଟଚଚଠାରେ ଏକ ରେଷ୍ଟୁରାଣ୍ଟ୍‌ ଚଳାଉଥିଲେ। ଏବେ ସେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ସେ କିପରି ତୁରନ୍ତ ଭାରତ ଆସିପାରିବେ ସେ ନେଇ ତାଙ୍କ ପରିବାର ଲୋକ ନିବେଦନ କରିଛନ୍ତି।

 

ଅହମ୍ମଦ ଇକବାଲ୍‌ ଜାହାଙ୍ଗିରଙ୍କ ଭାଇ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ ‘ମୋ ଭାଇ ଗୁଳିକାଣ୍ଡ୍‌ରେ ଆହତ ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛି। ତା’ର ଏବେ ଅସ୍ତ୍ରୋପଚାର ଚାଲୁଛି। ଆମେ ଭିଡିଓରେ ଦେଖିଲୁ ଯେ ମୋ ଭାଇ ଛାତିରେ ଗୁଳି ବାଜିଛି। ଆମେ ତୁରନ୍ତ ଦୂତବାସରେ ପହଞ୍ଚିବାକୁ ଚେଷ୍ଟା କରୁଛୁ। ଆମେ ଠିକ୍‌ ସୂଚନା ଏପର୍ଯ୍ୟନ୍ତ ପାଇପାରୁନୁ। ମୁଁ ସରକାରଙ୍କୁ ଏକ ଭିସା ପାଇବାକୁ ନିବେଦନ କରୁଛି। ଫଳରେ ମୁଁ ନ୍ୟୁଜିଲାଣ୍ଡ୍‌ ଯାଇ ମୋ ଭାଇର ଯତ୍ନ ନେଇପାରିବି।’ ନିଉଜିଲାଣ୍ଡ୍‌ର କାଏଷ୍ଟଚର୍ଚ ଅନ୍ତର୍ଗତ ଦୁଇଟି ମସ୍‌ଜିଦ୍‌ରେ ହୋଇଥିବା ଏହି ଗୁଳିକାଣ୍ଡ ପରେ ୯ ଜଣ ଭାରତୀୟ ବଂଶୋଦ୍ଭବ ନିଖୋଜ ବି ଅଛନ୍ତି।

ସମ୍ବନ୍ଧିତ ଖବର