ଆଇବି, ସିବିଆଇ ସହଯୋଗ କରୁନାହାନ୍ତି: ସୁପ୍ରିମ କୋର୍ଟ

ବିଚାରପତିଙ୍କ ଅଭିଯୋଗକୁ କର୍ଣ୍ଣପାତ କରାଯାଉନି
ଧାନବାଦ ବିଚାରପତି ମୃତ୍ୟୁ ମାମଲାରେ ସିବିଆଇକୁ ନୋଟିସ

ନୂଆଦିଲ୍ଲୀ : ଗତମାସ ୨୮ ତାରିଖରେ ଧାନବାଦର ଅତିରିକ୍ତ ଜିଲ୍ଲା ଏବଂ ଦୌରା ଜଜ୍ ଉତ୍ତମ ଆନନ୍ଦଙ୍କ ସନ୍ଦିଗ୍ଧ ମୃତ୍ୟୁ ମାମଲାରେ ସୁପ୍ରିମ କୋର୍ଟ ଆଜି ଦୁଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଏବଂ ଆଇବି ଉପରେ ଭୀଷଣ ବିରକ୍ତ ହୋଇଛନ୍ତି। ରାସ୍ତାରେ ବିଚାରପତି ଜଗିଂ କରୁଥିବା‌ବେଳେ ପଛରୁ ଏକ ଅଟୋ ପିଟି ଦେଇ ‌ଆଗକୁ ପଳାଇଥିଲା। ଏଥିରେ ବିଚାରପତିଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାରେ ସୁପ୍ରିମ କୋର୍ଟ ନିଜ ଆଡ଼ୁ ମାମଲାର ବିଚାର ପାଇଁ ଗ୍ରହଣ କରିଛନ୍ତି। ତେବେ ଏହି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବଆଇ)କୁ ସୁପ୍ରିମ କୋର୍ଟ ଆଜି ନୋଟିସ ଜାରି କରିଛନ୍ତି।

ମାମଲାର ଶୁଣାଣି ବେଳେ ସୁପ୍ରିମ କୋର୍ଟ ଟିପ୍ପଣୀ ଦେଇଛନ୍ତି ଯେ ହାଇ ପ୍ରୋଫାଇଲ ଲୋକଙ୍କ ସପକ୍ଷରେ ରାୟ ନଗଲେ ନ୍ୟାୟପାଳିକାକୁ ନିନ୍ଦିତ କରିବା ପାଇଁ ଏକ ନୂଆ ଧାରା ଏବେ ଦେଖିବାକୁ ମିଳୁଛି। ଆଇବି ଏବଂ ସିବିଆଇ ନ୍ୟାୟପାଳିକାକୁ ଆଦୌ ସହଯୋଗ କରୁନାହାନ୍ତି। ବିଚାରପତି ଅଭିଯୋଗ କରିଲେ ମଧ୍ୟ ସେମାନେ ଶୁଣୁନାହାନ୍ତି। ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ବେଳେ ଅଦାଲତକୁ ସହଯୋଗ କରିବା ଲାଗି ସର୍ବୋଚ୍ଚ ଅଦାଲତ ଆଜି ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳଙ୍କୁ କହିଛନ୍ତି। ବିଚାରପତି ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ମାମଲାର ସ୍ବାଧୀନ ସିବିଆଇ ତଦନ୍ତ ସୁପ୍ରିମ କୋର୍ଟ ବାର୍‌ ଆସୋସିଏସନ୍ ଦାବି କରିଥିଲା। ନ୍ୟାୟପାଳିକାର ସ୍ବାଧୀନତା ଉପରେ ଏହା ଆକ୍ରମଣ। ଯଦି ନ୍ୟାୟପାଳିକା ସ୍ବାଧୀନ ରହିବାକୁ ହୁଏ ତା’ହେଲେ ବିଚାରପତିମାନେ ନିରାପଦ ରହିବା ଉଚିତ ବୋଲି ସୁପ୍ରିମ କୋର୍ଟ ବାର୍‌ ଆସୋସିଏସନର ସଭାପତି ତଥା ବରିଷ୍ଠ ଆଇନଜୀବୀ ବିକାଶ ସିଂହ କହିଥିଲେ।

ଶୁଣାଣି ବେଳେ ପ୍ରଧାନ ବିଚାରପତି ‌ଏନ ଭି ରମଣା ଆଟର୍ଣ୍ଣି ଜେନେରାଲ ବେଣୁଗୋପାଳଙ୍କୁ ଏହା ମଧ୍ୟ କହିଥିଲେ ଯେ ଦେଶରେ ବିଚାରପତିଙ୍କ ଉପରେ ଯେ କେବଳ ଶାରୀରିକ ଆକ୍ରମଣ ହେଉଛି ତାହାନୁହେଁ, ମାନସିକ ଆକ୍ରମଣ ମଧ୍ୟ କରାଯାଉଛି। ହ୍ବାଟ୍‌ସଆପ୍‌ରେ ଧମକ ଦିଆଯିବା ସହିତ ଡରାଇବା ଭଳି ବାର୍ତ୍ତା ପଠାଯାଇ ସୋସିଆଲ ମିଡିଆରେ ଉକ୍ତ ପୋଷ୍ଟ୍‌କୁ ପ୍ରସାରିତ କରାଯାଉଛି। ଏହି ପରିପ୍ରେକ୍ଷୀରେ ପ୍ରଧାନ ବିଚାରପତି ଗତବର୍ଷ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶର ଉଲ୍ଲେଖ କରିଥିଲେ। ସେଥିରେ ବିଚାରପତିଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଦିଆଯାଇଥିବା ଧମକପୂର୍ଣ୍ଣ ପୋଷ୍ଟ୍‌ର ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ମାମଲାରେ କୌଣସି ଅଗ୍ରଗତି ହୋଇନଥିବା ପ୍ରଧାନ ବିଚାରପତି କହିଥିଲେ। ଏଥିସହିତ ୨୦୧୯ ମସିହାରେ ବିଚାରପତିଙ୍କ ସୁରକ୍ଷା ପ୍ରସଙ୍ଗରେ ହୋଇଥିବା ଏକ ପିଟିସନ ଉପରେ ଭାରତ ସରକାରଙ୍କ ଜବାବ ଅଦାଲତ ମାଗିଛନ୍ତି। ଉକ୍ତ ପିଟିସନରେ ବିଚାରପତି ଓ ଅଦାଲତ ପାଇଁ ଏକ ସ୍ବତନ୍ତ୍ର ସୁରକ୍ଷା ବଳ ସୃଷ୍ଟି ଲାଗି କୁହାଯାଇଥିଲା। ୨୦୧୯ ମସିହାରେ ଏହି ମାମଲା ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ଏହାର ଜବାବ ରଖିନାହାନ୍ତି। ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୯ ତାରିଖରେ ହେବ।

ସମ୍ବନ୍ଧିତ ଖବର