ପ୍ରଭାବ ପକାଇପାରେ ଏଲ- ନିନୋ: ଗ୍ରୀଷ୍ମ ଋତୁ ହେବ ଅଧିକ ଯନ୍ତ୍ରଣାଦାୟକ

ପୁନେ: ଆଗାମୀ ଗ୍ରୀଷ୍ମ ଋତୁ ଅଧିକ ଯନ୍ତ୍ରଣାଦାୟକ ହେବ ବୋଲି ଏବେ ଠାରୁ ଆଶଙ୍କା କଲେଣି ପାଣିପାଗ ବିଶେଷଜ୍ଞମାନେ। ଏପରିକି ଗ୍ରୀଷ୍ମଋତୁୁରେ ସ୍ୱାଭାବିକ ତାପମାତ୍ରା ଠାରୁ ଆଗାମୀ ବର୍ଷ ଅଧିକ ତାପମାତ୍ରା ରହିପାରେ। ଆଗାମୀ ବର୍ଷ ମୌସୁମୀ ମଧ୍ୟ ଧୋକା ଦେଇପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ପରୋକ୍ଷ ସଙ୍କେତ ଦେଇ ସାରିଲାଣି। ବିଶେଷ କରି ପ୍ରଶାନ୍ତ ମହାସାଗରରେ ଆସନ୍ତା ଫେବ୍ରୁଆରି ମାସରୁ ଏଲ ନିନୋ ପ୍ରଭାବ ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି ହେଉଥିବା କାରଣରୁ ଏପରି ଅନୁମାନ କରାଯାଉଛି। ଯଦିଓ ପାଣିପାଗ ବିଭାଗର ଅଧିକାରୀମାନେ କହିଛନ୍ତି ଯେ ଏଲ ନିନୋ ଯେ ମୌସୁମୀକୁ ପ୍ରଭାବିତ କରିବ ସେପରି ଆକଳନ କରିବା ବର୍ତ୍ତମାନ କଷ୍ଟକର, ମାତ୍ର ବିଶେଷଜ୍ଞମାନେ କହିଛନ୍ତି ଯେ ଆସନ୍ତା ବର୍ଷ ପ୍ରାରମ୍ଭରେ ଏଲ ନିନୋ ପାଇଁ ସ୍ଥିତି ଉତ୍ପନ୍ନ ହୋଇଥିବାରୁ ଏହା ୨୦୧୯ ମୌସୁମୀକୁ ପ୍ରଭାବିତ କରିବ।
ଆଇଏମଡି ସୂତ୍ରରୁ ପ୍ରକାଶ ଯେ ଏଲ ନିନୋର ପ୍ରଭାବ ବସନ୍ତ ଋତୁରେ ହ୍ରାସପାଇପାରେ, ତେଣୁ ଏହା ମୌସୁମୀକୁ ପ୍ରଭାବିତ କରି ନ ପାରେ। ପୂର୍ବାନୁମାନ ଅନୁଯାୟୀ, ଗତ ଅକ୍ଟୋବର ମାସରୁ ଆସନ୍ତା ଫେବ୍ରୁଆରି ମାସ ପର୍ଯ୍ୟନ୍ତ ଉଭୟ ଏଲ ନିନୋ ଓ ଲା ନିନୋ ପରସ୍ପରକୁ ନିଷ୍କ୍ରୀୟ କରିବେ ।ତେବେ ପେବ୍ରୁଆରିରୁ ଜୁଲାଇ ମାସ ଯାଏ ଏଲ ନିନୋର ଅଧିକ ପ୍ରଭାବ ଦେଖାଦେବ। ପାଣିପାଗ ବିଭାଗର ବିଶେଷଜ୍ଞଙ୍କ ଠାରୁ ପ୍ରକାଶ ଯେ, ବିଭିନ୍ନ ମଡେଲର ତଜର୍ମା ଓ ବିଶେଷଜ୍ଞମାନଙ୍କ ଆକଳନକୁ ଯଦି ସମୀକ୍ଷା କରାଯାଏ ତେବେ ଆଗାମୀ ବର୍ଷ ଏଲ ନିନୋର ଅଧିକ ପ୍ରଭାବ ଅନୁଭୂତ ହେବ। ଯଦି ଏପରି ହୁଏ ତେବେ ମୌସୁମୀ କିଛିଟା ପ୍ରଭାବିତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧିତ ଖବର