ଜମ୍ମୁ ଓ କଶ୍ମୀର ‘ଡିଡିସି’ ନିର୍ବାଚନ: କଶ୍ମୀରରେ ଗୁପକର ମେଣ୍ଟର ଓ ଜମ୍ମୁରେ ବିଜେପିର ବିପୁଳ ବିଜୟ

ଶ୍ରୀନଗର: ଜମ୍ମୁ ଓ କଶ୍ମୀର ‘ଜିଲ୍ଲା ବିକାଶ ପରିଷଦ୍‌’ (ଡିଡିସି) ନିର୍ବାଚନରେ ଫାରୁକ୍‌ ଅବ୍ଦୁଲ୍ଲାଙ୍କ ନେତୃତ୍ୱାଧୀନ ‘ନ୍ୟାସ୍‌ନାଲ୍‌ କନ୍‌ଫରେନ୍ସ୍‌’ ଜମ୍ମୁ ଅଞ୍ଚଳରେ ୧୪୦ ଆସନରୁ ୨୫ଟିରେ ବିଜୟ ହାସଲ କରିଛି। ଏଥିସହ ୧୦୦ରୁ ଅଧିକ ଆସନରେ ‘ପିପୁଲ୍‌ସ୍‌ ଆଲିଆନ୍ସ୍‌ ଫର୍‌ ଗୁପକର ଡିକ୍ଲାରେସନ୍‌’ର (ପିଏଜିଡି) କଶ୍ମୀର ଉପତ୍ୟକାରେ ବିପୁଳ ବିଜୟ ହୋଇଛି। ଜମ୍ମୁ ଓ କଶ୍ମୀରରୁ ସ୍ୱତନ୍ତ୍ର ପାହ୍ୟା ଉଚ୍ଛେଦ ହେବା ପରେ ଅନୁଷ୍ଠିତ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ପ୍ରତ୍ୟକ୍ଷ ଭୋଟ୍‌ ଦାନରେ ‘ନ୍ୟାସ୍‌ନାଲ୍‌ କନ୍‌ଫରେନ୍ସ’ ‘ପିପୁଲ୍‌ସ୍‌ ଆଲିଆନ୍ସ୍‌ ଫର୍‌ ଗୁପକର ଡିକ୍ଲାରେସନ୍‌’ର ନେତୃତ୍ୱ ନେଉଛି।

‘ପିଏଜିଡି’ର ଅନ୍ୟତମ ସଦସ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ପିପୁଲ୍ସ୍‌ ଡେମୋକ୍ରାଟିକ୍‌ ପାର୍ଟି ଜମ୍ମୁର ନୌଶେରା ଅଞ୍ଚଳରେ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଛି।

Image Courtesy of NDTV

ଜମ୍ମୁରେ ୭୪ଟି ଆସନରେ ବିଜୟୀ ହୋଇ ‘ବିଜେପି’ ସବୁଠୁ ଅଧିକ ଆସନରେ ବିଜୟୀ ହୋଇଥିବା ଏକକ ଦଳ ହୋଇଥିବା ବେଳେ କଂଗ୍ରେସ ୨୬, ଜମ୍ମୁ ଓ କଶ୍ମୀର ଆପ୍‌ନି ପାର୍ଟି ୩, ପାନ୍ଥରସ୍‌ ପାର୍ଟି ୨ ଏବଂ ବହୁଜନ ସମାଜ ପାର୍ଟି ୧ଟି ଆସନରେ ବିଜୟୀ ହୋଇଛନ୍ତି।

ଆଠଟି ପର୍ଯ୍ୟାୟରେ ଅନୁଷ୍ଠିତ ଏହି ନିର୍ବାଚନ ପ୍ରଚାର ଦାୟିତ୍ୱ ବିଜେପି ଜିତେନ୍ଦ୍ର ସିଂହ ଏବଂ ମୁଖ୍‌ତାର୍‌ ଅବ୍ଦାସ୍‌ ନକ୍ୱିଙ୍କ ଭଳି ବିଜେପି କେନ୍ଦ୍ର ମନ୍ତ୍ରୀଙ୍କ ହାତରେ ଦେଇଥିବା ବେଳେ କଶ୍ମୀରରେ ୧୪୦ଟି ଅଞ୍ଚଳରୁ ମାତ୍ର ୩ଟି ଆସନରେ ବିଜୟ ହାସଲ କରିଛି।

ବିଜେପି ମୁଖପାତ୍ର ଅନୀଲ ଗୁପ୍ତା କହିଛନ୍ତି ଯେ, ଏହି ନିର୍ବାଚନ ଫଳାଫଳ ହେଉଛି ‘ଗଣତନ୍ତ୍ରର ବିଜୟ’ ଏବଂ ସ୍ୱତନ୍ତ୍ର ପାହ୍ୟା ଉଚ୍ଛେଦ ହେବା ପରେ କଶ୍ମୀରବାସୀଙ୍କର ଗଣତନ୍ତ୍ର ଉପରୁ ଆସ୍ଥା ତୁଟି ଯାଇଛି ବୋଲି କହୁଥିଲେ, ସେମାନଙ୍କ ପାଇଁ ଏହା ଶକ୍ତ ‘ଚାପୁଡ଼ା’। ଜମ୍ମୁ ଓ କଶ୍ମୀରରେ ବିଜେପିର ଫଳାଫଳ ଭଲ ହୋଇଛି।

ସମ୍ବନ୍ଧିତ ଖବର