କେବଳ ୟୁଏଇରେ ୩୭ହଜାର ଭାରତୀୟଙ୍କ ଚାକିରି ଗୋଲ୍‌, ମେ ୭ରୁ ଘରବାହୁଡ଼ା

ନୂଆଦିଲ୍ଲୀ: କୋଭିଡ୍‌-୧୯ ବିଶ୍ୱମହାମାରୀ କାଳରେ ବିଦେଶରେ ଫସିରହିଥିବା ଭାରତୀୟମାନଙ୍କୁ ଦେଶକୁ ବାହୁଡ଼ି ନିଜ ପରିବାର ସହ ମିଶିବାକୁ ଚାହୁଛନ୍ତି, ସେଇମାନେ ହିଁ ନିଜର ନାମ ଠିକଣା ଓ ଅନ୍ୟ ସବିଶେଷ ସହ ପଞ୍ଜୀକରଣ କରୁଛନ୍ତି। ଭାରତୀୟ ମିଶନଗୁଡ଼ିକରେ ଏଥିପାଇଁ ୧ଲକ୍ଷ ୫୦ ହଜାର ଭାରତୀୟ ନାଗରିକ କେବଳ ମିଳିତ ଆରବ ଏମିରେଟ୍‌ସ୍‌ରେ ପଞ୍ଜୀକରଣ କରିସାରିଲେଣି। ସେମାନଙ୍କ ମଧ୍ୟରୁ ପ୍ରାୟ ୩୭,୦୦୦ରୁ ଅଧିକ ପ୍ରବାସୀ ଭାରତୀୟ ନିଜନିଜର ଚାକିରି ହରାଇଥିବାର ସୂଚନା ସଂପୃକ୍ତ ପଞ୍ଜୀକରଣ ଫର୍ଦରେ ଦେଇଛନ୍ତି। ପ୍ରଥମେ ୧୫,୦୦୦ ଜଣ ପ୍ରବାସୀ ଭାରତୀୟ ସମସ୍ତ ଔପଚାରିକ ପ୍ରକ୍ରିୟା ସାରି ମେ ୭ ତାରିଖରୁ ପର୍ଯ୍ୟାୟ କ୍ରମେ ଆସିବା ପାଇଁ ଅପେକ୍ଷା କରିଛନ୍ତି।

ଭାରତୀୟ ନାଗରିକମାନଙ୍କୁ ମୁଖ୍ୟତଃ ମିଳିତ ଆରବ ଏମିରେଟସ୍, ବ୍ରିଟେନ୍‌, ମାଲୟେସିଆ, ଯୁକ୍ତରାଷ୍ଟ୍ର ଆମେରିକା, ଫିଲିପାଇନ୍ସ, ବାଙ୍ଗଲାଦେଶ, ସିଙ୍ଗାପୁର, କ୍ୱେତ୍‌, ସାଉଦୀ ଆରବ, ବାହାରିନ୍‌, ଓ ଓମାନ୍‌ ଆଦି ଦେଶରୁ ଆସିବେ। ପ୍ରଥମ ସପ୍ତାହରେ, ମାନେ ମେ ୭ ତାରିଖରୁ ୧୩ ତାରିଖ ମଧ୍ୟରେ ୬୪ଟି ନିୟମିତ ଯାତ୍ରୀବାହୀ ବିମାନରେ ଟିକଟ କରିସାରିଥିବା ପ୍ରବାସୀ ଭାରତୀୟମାନେ ଦେଶକୁ ଫେରିବେ। ଏହା ସହ ଅଧିକ ନାଗରିକଙ୍କୁ ବୋହିଆଣିବା ପାଇଁ ଭାରତୀୟ ନୌସେନାର ୪ଟି ଜାହାଜକୁ ମଧ୍ୟ ଭାରତ ସରକାର ପ୍ରସ୍ତୁତ କରି ରଖିଛନ୍ତି।ଏହିଭଳି ପ୍ରାୟ ଡଜନେ ଜାହାଜ ଚାଲିବାର ଯୋଜନା ରହିଥିବା ବେଳେ ଭାରତୀୟ ବାୟୁସେନାର ୩୦ଟି ଏୟାରକ୍ରାଫ୍‌ଟ ମଧ୍ୟ ବିକଳ୍ପ ଭାବେ ସଜାଗ ରହିଛି। ଯାହା ଦ୍ୱାରା ବହୁତ ସଂଖ୍ୟାରେ ଭାରତୀୟଙ୍କୁ ସଂପୃକ୍ତ ଦେଶଗୁଡ଼ିକରୁ ଉଦ୍ଧାର କରାଯାଇପାରିବ। ଏହି ଉଦ୍ଧାର ସେବା ଜମାରୁ ମାଗଣାରେ ମିଳିବ ନାହିଁ। ସମସ୍ତଙ୍କୁ ପୈଠ କରିବାକୁ ପଡ଼ିବ। ଏଥିପାଇଁ ଏକ ମାନକ ସଂଚାଳନ ବିଧି (ଏସ୍‌ଓପି) ପ୍ରସ୍ତୁତ ହୋଇଛି। ପହଞ୍ଚିଲା ପରେ ସମସ୍ତଙ୍କୁ ଏକ ଆତ୍ମ ଘୋଷଣାପତ୍ର ଦାଖଲ କରିବାକୁ ହେବ। ଯାତ୍ରା ବେଳେ ସବୁ ଯାତ୍ରୀଙ୍କୁ ବିଧି ଅନୁପାଳନ କରିବାକୁ ହେବ। ଆରୋଗ୍ୟ ସେତୁ ଆପ୍‌ରେ ପଂଜିକୃତ କରିବାକୁ ହେବ ଏବଂ ମେଡିକାଲ୍‌ ସ୍କ୍ରିନିଂ କରାଇବାକୁ ହେବ। ଏହା ସହ ଗୋଟିଏ ହସପିଟାଲ ବା ଆନୁଷ୍ଠାନିକ ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ରହିବେ। ସୂଚନାଯୋଗ୍ୟ ଯେ ଭାରତରେ ସମସ୍ତ ଜାତୀୟ ଓ ଅନ୍ତର୍ଜାତୀୟ ଯାତ୍ରୀବିମାନ ସେବା ମେ ୧୭ ତାରିଖ ପର୍ଯ୍ୟନ୍ତ ରଦ୍ଦ ହୋଇଛି। ସେଗୁଡ଼ିକ କେବେ ପୁଣି ଉଡ଼ାଣ ପୁନଃଆରମ୍ଭ କରିବେ, ତାହା ଉପରେ କୌଣସି ନିଷ୍ପତ୍ତି ହୋଇନାହିଁ।

ସମ୍ବନ୍ଧିତ ଖବର