ବଢ଼ିଲା ମହାରାଷ୍ଟ୍ର ସଙ୍କଟ, ୫୦-୫୦ ଫର୍ମୁଲାକୁ ବିଜେପିର ପ୍ରତ୍ୟାଖ୍ୟାନ

ବିଜେପି ସହ ବୈଠକ ରଦ୍ଦ କଲା ସେନା

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଶିବସେନା-ବିଜେପି ମଧ୍ୟରେ ସଂପର୍କ ଦିନକୁ ଦିନ ତିକ୍ତ ହେବାରେ ଲାଗିଛି। ୫୦-୫୦ ଫର୍ମୁଲା ଆଧାରରେ ଅଢ଼େଇ ବର୍ଷ ଲେଖାଏଁ ଦୁଇ ଦଳର ମୁଖ୍ୟମନ୍ତ୍ରୀ ରହିବା ପାଇଁ ଶିବସେନାର ଦାବିକୁ ବିଜେପି ପ୍ରତ୍ୟାଖ୍ୟାନ କରିଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତି ଯେ ଶିବସେନା ସହିତ ୫୦-୫୦ ଫର୍ମୁଲା ନେଇ କୌଣସି ଚୁକ୍ତି ହୋଇନାହିଁ ଏବଂ ସେନାର ଏଭଳି ଦାବି ଗ୍ରହଣୀୟ ନୁହେଁ । ଶିବସେନାର ମୁଖପତ୍ର ‘ସାମନା’ରେ ବିଜେପି ବିରୋଧରେ ଯେଭଳି ଲେଖାମାନ ପ୍ରକାଶ ପାଉଛି ଏବଂ ସରକାର ଗଠନ ପାଇଁ ଯେଉଁ ସର୍ତ୍ତ ରଖାଯାଉଛି ତାହା ‌ଦ୍ବାରା ଲୋକଙ୍କ ନିକଟକୁ ଭୁଲ୍‌ ବାର୍ତ୍ତା ଯାଉଛି ବୋଲି ଫଡ଼ନାଭିସ୍‌ କହିଛନ୍ତି। ବିଜେପି ଅଧ୍ୟକ୍ଷ ଅମିତ ଶାହ ଏବଂ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ମଧ୍ୟରେ ନିର୍ବାଚନ ପୂର୍ବରୁ ୫୦-୫୦ ଫର୍ମୁଲା ନେଇ କୌଣସି ଆଲୋଚନା ହୋଇଥିବା ସେ ଜାଣନ୍ତି ନାହିଁ ଏବଂ ରାଜ୍ୟରେ ପରବର୍ତ୍ତୀ ସରକାର ବିଜେପି ନେତୃତ୍ବରେ ହିଁ ଗଠନ ହେବ ବୋଲି ଫଡ଼ନାଭିସ କହିଛନ୍ତି। ମତେ ୫ ବର୍ଷ ପୁଣି ମୁଖ୍ୟମନ୍ତ୍ରୀ ରହିବା ପାଇଁ ଜନାଦେଶ ମିଳିଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଫଡ଼ନାଭିସଙ୍କ ଏଭଳି ବୟାନ ପରେ ଶିବସେନା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଶିବସେନା ପାଖରେ ସରକାର ଗଠନ ପାଇଁ ବିକଳ୍ପ ରାସ୍ତା ରହିଛି ବୋଲି ଦଳର ବରିଷ୍ଠ ନେତା ସଂଜୟ ରାଉତ କହିଛନ୍ତି। କ୍ଷୁବ୍ଧ ଶିବସେନା ଆଜି ବିଜେପି ସହିତ ସରକାର ଗଠନ ପାଇଁ ଆଲୋଚନା ନିମନ୍ତେ ହେବାକୁ ଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକକୁ ମଧ୍ୟ ବାତିଲ୍‌ କରିଦେଇଛି। ଏହାକୁ ନେଇ ବିଜେପି ମଧ୍ୟ ଆଜି ତା’ର ଆଭିମୁଖ୍ୟ ଆହୁରି କଠୋର କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ୩୦ ତାରିଖ ମୁମ୍ବାଇ ଗସ୍ତ କାର୍ଯ୍ୟକ୍ରମ ମଧ୍ୟ ବାତିଲ ହୋଇଥିବା ଜଣାପଡ଼ିଛି। ଶିବସେନା ଦ୍ବାରା ବୈଠକ ରଦ୍ଦ ହେବା ସଂପର୍କରେ ସୂଚନା ଦେଇ ସଂଜୟ ରାଉତ କହିଛନ୍ତି ଯେ ବିଜେପି ହିଁ କଥାବାର୍ତ୍ତାର ରାସ୍ତା ବନ୍ଦ କରୁଛି ଏବଂ ଏକତରଫା ଭାବେ ନିଷ୍ପତ୍ତି ନେବାକୁ ଯାଉଛି । ମହାରାଷ୍ଟ୍ରରେ ଏନ୍‌ସିପି ବିଜେପି ବିରୋଧରେ ଜନମତ ସୃଷ୍ଟି କରିବାକୁ ସକ୍ଷମ ହୋଇଥିବା ବେଳେ କଂଗ୍ରେସ ବିଜେପିର ଘୋର ବିରୋଧୀ। ଏଭଳି ସ୍ଥିତିରେ ସରକାର ଗଠନ ପାଇଁ ଆମ ପାଖରେ ଅନେକ ବିକଳ୍ପ ଅଛି ବୋଲି ରାଉତ କହିଛନ୍ତି। ମହାରାଷ୍ଟ୍ରରେ ହରିୟାଣା ଭଳି ‘କୌଣସି ଦୁଶ୍ୟନ୍ତ ଚୌତାଲାଙ୍କ ପିତା ଜେଲ୍‌ରେ ନାହାନ୍ତି’ ବୋଲି ସେ କହିଛନ୍ତି। ରାାଉତଙ୍କ ଏଭଳି ବୟାନରେ ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌତାଲା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଶିବସେନା ନେତାଙ୍କ ଏଭଳି ବେପରୁଆ ବୟାନ ଆଦୌ ଶୋଭନୀୟ ନୁହେଁ। ଜେଲ୍‌ରେ ଥିବା ମୋ ପିତା ଅଜୟ ଚୌତାଲାଙ୍କ ଭଲମନ୍ଦ କେବେ ବୁଝିନଥିବା ରାଉତ ହଠାତ ତାଙ୍କୁ ନେଇ ଏଭଳି ବୟାନ ଦେବା ନିନ୍ଦନୀୟ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର