ଭାରତ-ଚୀନ୍‌ ସେନା ମାରପିଟ୍‌: ଉତ୍ତର ସିକିମ୍‌ର ନାକୁ ଲା ସେକ୍ଟରରେ ମୁଥ ମରାମରି, ପଥରଫିଙ୍ଗାରେ ୧୧ ସୈନିକ ଆହତ

ନୂଆଦିଲ୍ଲୀ: ସମୁଦ୍ର ପତ୍ତନଠାରୁ ୫,୦୦୦ ମିଟର ଉଚ୍ଚରେ ଥିବା ସିକିମ୍‌ର ନାକୁ ଲା ସେକ୍ଟର ଏବେ ଅଶାନ୍ତ ହୋଇପଡ଼ିଛି। ଉତ୍ତର ସିକିମ୍‌ର ନାକୁ ଲା ସେକ୍ଟରରେ ଭାରତ ଏବଂ ଚୀନ୍‌ ସେନା ମୁହାଁମୁହିଁ ହୋଇଛନ୍ତି। ଚୀନ୍‌ର ପିପୁଲ୍‌ସ ଲିବରେସନ ଆର୍ମି(ପିଏଲ୍‌ଏ)‌ ସେନା ଏକ ପାଟ୍ରୋଲିଂ ଦଳ ଭାରତ ସୀମା ମଧ୍ୟକୁ ପଶି ଆସିବା ଫଳରେ ଭାରତୀୟ ସେନା ପ୍ରତିରୋଧ କରିଥିଲେ। ଫଳରେ ଉଭୟ ସେନା ଶନିବାର ମୁହାଁମୁହିଁ ହୋଇଥିଲେ। ଉଭୟ ସେନା ମଧ୍ୟରେ ଧସ୍ତାଧସ୍ତି ଯୋଗୁଁ ୪ ଜଣ ଭାରତୀୟ ଓ ୭ ଜଣ ଚୀନ୍‌ ସୈନ୍ୟ ଆହତ ହୋଇଛନ୍ତି। ପରସ୍ପର ପରସ୍ପରକୁ ମୁଥ ମାରିବା ସହିତ ପଥର ମାଡ କରିଥିଲେ। ଦୁଇପକ୍ଷରୁ ପ୍ରାୟ ୧୫୦ ଜଣ ଏଥିରେ ସାମିଲ ଥିଲେ। ପ୍ରୋଟୋକଲ ଅନୁଯାୟୀ, ସ୍ଥାନୀୟ ଅଧିକାରୀସ୍ତରରେ ଆଲୋଚନା କରାଯାଇ ମାମଲାର ସମାଧାନ କରାଯାଇଛି।

ଦୀର୍ଘ ଦିନର ବ୍ୟବଧାନ ପରେ ଚୀନ୍‌ ସେନା ଭାରତ ସୀମା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଛି ବୋଲି ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ସେନାର ସୂଚନା ଅନୁସ‌ାରେ, ନାକୁ ଲା ସେକ୍ଟର ନିକଟରେ ଉଭୟ ସେନା ମୁହାଁମୁହିଁ ‌ହୋଇଥିଲେ। ପାକ୍‌ ଅଧିକୃତ କାଶ୍ମୀରର ଗିଲ୍‌ଗିଟ, ବେଲୁଚିସ୍ତାନର ପାଣିପାଗ ସୂଚନା ଭାରତ ପକ୍ଷରୁ ଦିଆଯିବା ପରେ ପାକିସ୍ତାନ ଏଥିନେଇ କ୍ଷୁବ୍‌ଧ ହୋଇପଡିଛି। ଆଉ ଏତିକିବେଳେ ଚୀନ୍‌ ଉତ୍ତର ସିକିମ୍‌ରେ ଭାରତ ମଧ୍ୟକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଛି। ଏହା ଫଳରେ ଉଭୟ ସେନା ମୁହାଁମୁହିଁ ହୋଇଛନ୍ତି। ସୂଚନାଯୋଗ୍ୟ, ୩ ବର୍ଷ ପୂର୍ବରୁ ୨୦୧୭ରେ ଡୋକ୍‌ଲାମକୁ ନେଇ ଉଭୟ ଭାରତ ଓ ଚୀନ ମଧ୍ୟରେ ସୀମାରେ ୭୩ ଦିନ ଧରି ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିଲା। ଏପରିକି ଯୁଦ୍ଧର ଆଶଙ୍କା ମଧ୍ୟ ଦେଖାଦେଇଥିଲା। ତେବେ ଉଭୟ ପକ୍ଷର ଆଲୋଚନା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଭାରତ ଓ ଚୀନ୍‌ ସୀମାରେ ଥିବା ୩,୪୮୮ କିଲୋମିଟର ଦୀର୍ଘ ଲାଇନ୍‌ ଅଫ୍‌ ଆକ୍‌ଚୁଆଲ କଣ୍ଟ୍ରୋଲକୁ ନେଇ ଉଭୟ ଦେଶ ମଧ୍ୟରେ ସୀମା ବିବାଦ ରହିଛି। ଅରୁଣାଚଳ ପ୍ରଦେଶକୁ ଚୀନ୍‌ ଦକ୍ଷିଣ ତିବ୍ବତର ବୋଲି ଦାବି କରିଆସୁଛି। ଏହାକୁ ନେଇ ଉଭୟ ରାଷ୍ଟ୍ର ମଧ୍ୟରେ ବିବାଦ ଲାଗି ରହିଛି। ତେବେ ଗତବର୍ଷ ଚୀନ୍‌ ରାଷ୍ଟ୍ରପତି ସି. ଜିନ୍‌ପିଙ୍ଗ୍‌ ଭାରତ ଗସ୍ତରେ ଆସିବା ପରେ ଉଭୟ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ନିବିଡ଼ ହେବା ନେଇ ଆଶା କରାଯାଉଥିଲା। ତାମିଲନାଡ଼ୁର ମହାବଳୀପୁରମ୍‌ଠାରେ ଚୀନ୍‌ ରାଷ୍ଟ୍ରପତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମାତ୍ର, ଚୀନ୍‌ ସେନାର ଏଭଳି ଆଚରଣ ଉଭୟ ଦେଶର ସମ୍ପର୍କକୁ ବିଗାଡ଼ିବାର ସମ୍ଭାବନା ସୃଷ୍ଟି ହୋଇଛି। ସମଗ୍ର ବିଶ୍ବ ଏବେ କୋଭିଡ-୧୯ ବିରୋଧରେ ଲଢେଇ କରୁଥିବାବେଳେ ଚୀନ୍‌ ସେନାର ଏଭଳି ଆଚରଣକୁ ଭାରତ ପକ୍ଷରୁ ନିନ୍ଦା କରାଯାଇଛି।

ସମ୍ବନ୍ଧିତ ଖବର