ବାତ୍ୟା, ବନ୍ୟା ପ୍ରପୀଡ଼ିତ ମାଡାଗାସ୍କାରକୁ ସାହାଯ୍ୟ କରିବା ଲାଗି ଭାରତ ଆରମ୍ଭ କଲା ‘ଅପରେସନ୍ ଭାନିଲା’
ନୂଆଦିଲ୍ଲୀ: ବାତ୍ୟା ଓ ବନ୍ୟା ପ୍ରପୀଡ଼ିତ ମାଡାଗାସ୍କାରକୁ ସାହାଯ୍ୟ କରିବା ନିମନ୍ତେ ପ୍ରଥମ ଦେଶ ଭାବେ ଭାରତ ଆରମ୍ଭ କରିଛି ‘ଅପରେସନ୍ ଭାନିଲା’। ଦୁର୍ଗତ ମାଡାଗାସ୍କାରବାସୀଙ୍କ ନିମନ୍ତେ ଭାରତ ‘ଆଇଏନ୍ଏସ୍ ଐରାବତ’ ଜାହାଜରେ ପାଞ୍ଚ ପାଲେଟ୍ ଖାଦ୍ୟସାମଗ୍ରୀ, ଲୁଗାପଟା ଏବଂ ନୌସେନା ଭଣ୍ଡାର ସହ ତିନି ପାଲେଟ୍ ଔଷଧ ପଠାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବୁଧବାର ଅର୍ଥାତ୍ ଆଜି ‘ଆଇଏନ୍ଏସ୍ ଐରାବତ’ ସେଠାରେ ପହଞ୍ଚି ପୀଡ଼ିତମାନଙ୍କୁ ଲୁଗାପଟା, ଜରୁରୀକାଳୀନ ଖାଦ୍ୟ, ଅସ୍ଥାୟୀ ଆଶ୍ରୟସ୍ଥଳ, ଡାକ୍ତରୀ ସହାୟତା ଯୋଗାଇ ଦେବ। ଏଥିରେ ଥିବା ଚାରିଟି ବଡ଼ ଏବଂ ଦୁଇଟି ମଧ୍ୟ ଧରଣର ଡଙ୍ଗାରେ ସେଠାରେ ଉଦ୍ଧାର ଓ ପରିବହନ କାର୍ଯ୍ୟ ମଧ୍ୟ କରାଯିବ।
ଜାନୁଆରି ୨୨ ତାରିଖରେ ହୋଇଥିବା ବାତ୍ୟ ଓ ବନ୍ୟା ଯୋଗୁଁ ମାଡାଗାସ୍କାରରେ ୯୨୦୦୦ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ଅନେକ ପ୍ରାଣ ହରାଇଛନ୍ତି। ଆନ୍ତର୍ଜାତିକ ସହାୟତା ନିମନ୍ତେ ମାଡାଗାସ୍କାର ରାଷ୍ଟ୍ରପତି ନିବେଦନ କରିଛନ୍ତି। ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ ରିଲିଫ୍ ମିସନ୍ ନିମନ୍ତେ ‘ଆଇଏନ୍ଏସ୍ ଐରାବତ’କୁ ଉତ୍ତର ମାଡାଗାସ୍କାରସ୍ଥିତ ଆଣ୍ଟ୍ସିରାନାନା ବନ୍ଦରରେ ମୁତୟନ କରାଯିବ।
ମାଡାଗାସ୍କାର ‘ଭାନିଲା’ ଦ୍ୱୀପସମୂହ ଦେଶଗୁଡ଼ିକର ଅଂଶବିଶେଷ ହୋଇଥିବା କାରଣରୁ ଭାରତ ଏହି ଅଭିଯାନର ନାମ ‘ଅପରେସନ୍ ଭାନିଲା’ ରଖିଛି।