ଏଲଏସି ଉତ୍ତେଜନା ପାଇଁ ଚୀନ ଦାୟୀ, ମେ’ ମାସରୁ ସେନା ଠୁଳ କରିଚାଲିଛି : ଭାରତ

ନୂଆଦିଲ୍ଲୀ : ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଦେଖାଦେଇଥିବା ଉତ୍ତେଜନା ପାଇଁ ଚୀନକୁ ଦାୟୀ କରିଛି ଭାରତ । ଦୁଇଦେଶ ମଧ୍ୟରେ ହୋଇଥିବା ବୁଝାମଣାର ଉଲ୍ଲଙ୍ଘନ କରି ଚୀନ ଗତ ମେ ମାସରୁ ଏଲଏସି ନିକଟରେ ସୈନ୍ୟ ଠୁଳ କରିଚାଲିଛି ବୋଲି ଭାରତ କହିଛି ।
ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଗତ ମେ ମାସରୁ ଚୀନ ପକ୍ଷରୁ ଏଲଏସି ନିକଟରେ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ଠୁଳ କରାଯାଉଛି । ଏହା ପୂର୍ବ ରାଜିନାମାର ଉଲ୍ଲଙ୍ଘନ । ବିଗତ ଅନେକ ବର୍ଷ ହେଲା ଭାରତ ଗଲଓ୍ଵାନ ଘାଟି ନିକଟରେ ପାଟ୍ରୋଲିଂ କରିଆସୁଛି । କିନ୍ତୁ କେବେ ବି ସ୍ଥିତାବାସ୍ଥାକୁ ଭାଙ୍ଗିବାକୁ ଚେଷ୍ଟା କରିନାହିଁ ।

ଗତକାଲି ଚୀନ ପକ୍ଷରୁ ସ୍ୱୀକାର କରାଯାଇଥିଲା ଯେ ଗତ ଜୁନ ୧୫ ରାତିରେ ଲଦାଖର ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଚୀନ ସେନାର କିଛି ଯବାନ ମୃତ୍ୟୁବରଣ କରିଛନ୍ତି । ତେବେ ସେହି ସଂଖ୍ୟା ସେଭଳି କିଛି ଅଧିକ ନୁହେଁ । ଉତ୍ତେଜନା ବଢିବା ଆଶଙ୍କାରେ ପ୍ରକୃତ ସଂଖ୍ୟାକୁ ପ୍ରକାଶ କରାଯାଉନାହିଁ ବୋଲି ଚୀନ ସଫେଇ ଦେଇଥିଲା । ଚୀନ ପକ୍ଷରୁ ଏହା ମଧ୍ୟ କୁହାଯାଇଥିଲା ଯେ ଏହି ଉତ୍ତେଜନା ବଢିବା ପାଇଁ ଭାରତ ଦାୟୀ । ଭାରତ ହିଁ ଉତ୍ତେଜନା ବଢାଉଛି ବୋଲି ଚୀନ ବାରମ୍ବାର ମିଥ୍ୟା ପ୍ରଚାର ଚଳାଇଥିବାରୁ ତାହାର ଜବାବରେ ଭାରତ ଚୀନକୁ ଦାୟୀ କରିଛି ।

ସମ୍ବନ୍ଧିତ ଖବର