ଯାଜପୁରରେ ଅବସରପ୍ରାପ୍ତ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ

ଯାଜପୁର: ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପୂର୍ବରୁ କାର୍ଯ୍ୟ କରିଥିବା ବରିଷ୍ଠ ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ କାର୍ଯ୍ୟରତ ଡାକ୍ତର ବିପିନ ବିହାରୀ ପଣ୍ଡାଙ୍କୁ କିଛି ଅସାମାଜିକ ବ୍ୟକ୍ତି ଗତକାଲି ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଡାକ୍ତରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ କ୍ଷତାକ୍ତ ହୋଇଛନ୍ତି। ଏନେଇ ପୂର୍ବରୁ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା।

ଡାକ୍ତର ଶ୍ରୀ ପଣ୍ଡା ଥାନାରୁ ପୁନର୍ବାର ଏଫଆଇଆର୍‌ ଦେଇ ଫେରୁଥିବା ସମୟରେ ଅଭିଯୁକ୍ତମାନେ ତାଙ୍କ ଉପରେ ପୁନର୍ବାର ଆକ୍ରମଣ କରିଛନ୍ତି। ଅଭିଯୋଗ ଅନୁସାରେ କିଛି ନିର୍ଦ୍ଦିଷ୍ଟ ଔଷଧ କମ୍ପାନିର ପ୍ରତିନିଧିମାନେ ଡାକ୍ତରଙ୍କ ଉପରେ ଔଷଧ ଲେଖିବାକୁ ଚାପ ପକାଇବା ସହ ତାଙ୍କୁ ଧମକ ମଧ୍ୟ ଦେଇ ଆସୁଥିଲେ।  ଡାକ୍ତର ପଣ୍ଡା ସରକାରଙ୍କ ନିୟମକୁ ମାନୁଥିବାରୁ ତାଙ୍କ ଉପରେ ଚାପ ପକାଇଥିଲେ। ଫଳରେ ଗତକାଲି ସନ୍ଧ୍ୟାରେ ସେ ନିସ୍ତୁକ ମାଡ଼ ଖାଇଥିବା ଅଭିଯୋଗ କରିଛନ୍ତି ଡାକ୍ତର ବିପିନ ବିହାରୀ ପଣ୍ଡା।

ରିପୋର୍ଟ ଲେଖାଯିବା ବେଳକୁ ଡାକ୍ତରଙ୍କ ଅବସ୍ଥା ଏକ ପ୍ରକାର ସ୍ଥିର ରହିଛି। ପୁଲିସ ୩ଟି ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ଜଣେ ଅବରସପ୍ରାପ୍ତ ଡାକ୍ତରଙ୍କୁ ମରାଣାନ୍ତକ ଆକ୍ରମଣ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର