ନ୍ୟୁୟର୍କରେ ହେବ ଭାରତ-ପାକ୍‌ ଆଲୋଚନା

କଥାବାର୍ତ୍ତା ପାଇଁ ଇମ୍ରାନ୍‌ଙ୍କ ଚିଠି, ଭାରତ ଦେଲା ସବୁଜ ସଂକେତ

ନୂଆଦିଲ୍ଲୀ: ଭାରତ ସହିତ ଆଲୋଚନା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ପକ୍ଷରୁ ଚିଠି ଲେଖାଯିବା ପରେ ଭାରତ ଏହାର ସକାରାତ୍ମକ ଜବାବ ଦେଇଛି। ଚଳିତମାସ ଶେଷ ଭାଗରେ ନ୍ୟୁୟର୍କରେ ଦୁଇଦେଶ ମଧ୍ୟରେ କଥାବାର୍ତ୍ତା ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ବିଦେଶ ମନ୍ତ୍ରାଳୟ ସ୍ତରରେ ଏହି ଆଲୋଚନା ହେବ ବୋଲି ଜଣାପଡ଼ିଛି। ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି, ଚଳିତମାସ ଶେଷଭାଗରେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେଶିଙ୍କ ମଧ୍ୟରେ ଆଲୋଚନା ହେବ। ଇମ୍ରାନ୍‌ ଖାନ୍‌ଙ୍କ ପକ୍ଷରୁ ଚିଠି ଲେଖାଯିବା ପରେ ଭାରତ ଏହି ଆଲୋଚନା ପାଇଁ ମଧ୍ୟ ପ୍ରସ୍ତୁତ ବୋଲି କହିଛି। ଏଥିପାଇଁ ଇମ୍ରାନ୍‌ଙ୍କ ଚିଠିର ଜବାବ ଦିଆଯାଇଛି। ମିଳିତ ଜାତିସଂଘର ସାଧାରଣ ଅଧିବେଶନ ଅବସରରେ ଦୁଇ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ କଥାବାର୍ତ୍ତା ହେବ ବୋଲି କୁମାର ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ ଆସନ୍ତା ୨୪ ତାରିଖରେ ସୁଷମା ନ୍ୟୁୟର୍କ ଗସ୍ତରେ ଯିବେ। ସୁଷମା ଓ କ୍ୟୁରେଶି ନିଜ ନିଜ ବିଦେଶ ମନ୍ତ୍ରାଳୟ ପ୍ରତିନିଧିଙ୍କ ନେତୃତ୍ୱ ନେଇ ଜାତିସଂଘ ସଭାରେ ଯୋଗଦେବେ। ଏହି ଅବସରରେ ସାର୍କ ବିଦେଶ ମନ୍ତ୍ରୀଙ୍କ ମଧ୍ୟାହ୍ନଭୋଜନ ଓ ସମ୍ମିଳନୀରେ ମଧ୍ୟ ଉଭୟ ଯୋଗଦେବେ। ସେପ୍ଟେମ୍ବର ୨୭ ତାରିଖରେ ଏହି ସମ୍ମିଳନୀ ହେବ। ପାକିସ୍ତାନ ପଟୁ ଭାରତ ସୀମାରେ ଜାରି ରହିଥିବା ଆତଙ୍କବାଦ କାର୍ଯ୍ୟକଳାପ ସଂକ୍ରାନ୍ତରେ ଭାରତ ଜାତିସଂଘ ସଭାରେ ଅବଗତ କରାଇବ। ଗୋଟିଏ ପଟେ ଇମ୍ରାନ୍‌ ସରକାର ଶାନ୍ତି କଥାବାର୍ତ୍ତା ପାଇଁ ପ୍ରସ୍ତୁତ ବୋଲି କହୁଥିବା ବେଳେ ସୀମା ଅଞ୍ଚଳରେ କିନ୍ତୁ କୌଣସି ନରମ ମନୋଭାବ ପୋଷଣ କରାଯାଉ ନାହିଁ। ପ୍ରତ୍ୟେକ ଦିନ ଭାରତୀୟ ସେନା ସହିଦ ହେଉଥିବା ବେଳେ ସାଧାରଣ ନାଗରିକଙ୍କ ଜୀବନ ଯାଉଛି। ତେଣୁ ଏ ବାବଦରେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଅନ୍ତର୍ଜାତୀୟ ନେତୃବୃନ୍ଦଙ୍କୁ ଅବଗତ କରିବେ। ପାକିସ୍ତାନର ଦୋମୁହାଁ ନୀତିକୁ ମଧ୍ୟ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରାଯିବ ବୋଲି ଆଶା ପ୍ରକାଶ ପାଇଛି।

ଉଲ୍ଲେଖଯୋଗ୍ୟ, ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ସଂପର୍କ ତିକ୍ତ ହୋଇଥିବା ବେଳେ ଉଭୟଙ୍କ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ଆଲୋଚନା ହୋଇପାରି ନାହିଁ। ବରଂ ନିୟମିତ ଭାବେ ଦୁଇ ରାଷ୍ଟ୍ର ପରସ୍ପରକୁ ସମାଲୋଚନା ଜାରି ରଖିଛନ୍ତି। ତେବେ ପାକିସ୍ତାନର ଇମ୍ରାନ୍‌ ସରକାର କିନ୍ତୁ ଭାରତ ସହିତ ଶାନ୍ତି କଥାବାର୍ତ୍ତା କରିବାକୁ ଆଗ୍ରହ ଦେଖାଇଛନ୍ତି। ଯଦିଓ ଭାରତ ଏଥିପାଇଁ ପୂର୍ବରୁ ପ୍ରସ୍ତୁତ ଥିବା ଜଣାପଡ଼ିନଥିଲା, ତଥାପି ଇମ୍ରାନ୍‌ଙ୍କ ସଦ୍ୟ ଅନୁରୋଧକୁ ଗ୍ରହଣ କରିନେଇଛି। ଚଳିତମାସ ନ୍ୟୁୟର୍କରେ ଯଦି କୌଣସି ଆପୋସ ବୁଝାମଣା ହୁଏ, ତା’ହେଲେ ସୀମା ଅଞ୍ଚଳରେ ପାକ୍‌ ସେନା ଓ ଆତଙ୍କବାଦୀ ହିଂସାତ୍ମକ କାର୍ଯ୍ୟକଳାପ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର