ଭାରତ ସହ ମିଲିଟାରୀ ଲଜିଷ୍ଟିକ୍ସ ଚୁକ୍ତି କରିବ ଋଷିଆ, ପରସ୍ପରର ସାମରିକ ଘାଟୀ ବ୍ୟବହାର କରିପାରିବେ

ମସ୍କୋ : ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ନାଟୋ ରାଷ୍ଟ୍ରଙ୍କ ପରି ସମାନ ମାନ୍ୟତା ଏସଟିଏ-୧ ପ୍ରଦାନ କରିବା ପରେ ଋଷିଆ ମଧ୍ୟ ଭାରତକୁ ସମାନ ମାନ୍ୟତା ଦେବା ପାଇଁ ଆଗ୍ରହ ଦେଖାଇଛି । ପୁରୁଣା ବନ୍ଧୁ ଭାରତକୁ ଆମେରିକା ନିଜ ଆଡ଼କୁ ଆକୃଷ୍ଟ କରୁଥିବାରୁ ଋଷିଆ ଭାରତ ସହ ନିଜର ବନ୍ଧୁତ୍ୱକୁ ଆହୁରି ନିବିଡ କରିବାକୁ ପଦକ୍ଷେପ ନେଇଛି । ଏଥିପାଇଁ ଦୁଇ ଦେଶ ଆସନ୍ତା ସେପ୍ଟେମ୍ବର ମାସରେ ମିଲିଟାରୀ ଲଜିଷ୍ଟିକ୍ସ ଚୁକ୍ତି କରିବାର ସମ୍ଭାବନା ରହିଛି । ସେପ୍ଟେମ୍ବର ମାସରେ ଋଷିଆର ଭ୍ଲାଦିଭୋସ୍ତକଠାରେ ଇଷ୍ଟର୍ଣ୍ଣ ଇକନୋମିକ ଫୋରମ ସମ୍ମିଳନୀ ଅବସରରେ ଋଷିଆ ରାଷ୍ଟ୍ରପତି ପୁଟିନ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ ବେଳେ ଏହି ଚୁକ୍ତି ସ୍ୱାକ୍ଷରିତ ହେବ ।

ଗତ୨୦୧୬ ମସିହାରେ ଆମେରିକା ଭାରତ ସହ ଏକ ମିଲିଟାରୀ ଲଜିଷ୍ଟିକ୍ସ ସହାୟତା ଚୁକ୍ତି (ଲେମୋଆ) କରିଥିଲା । ସାଧାରଣତଃ ଗୁରୁତ୍ୱପୂର୍ଣ୍ଣ ସାମରିକ ସହଯୋଗୀମାନଙ୍କ ସହ ଏହି ଚୁକ୍ତି କରାଯାଇଥାଏ । ସେବେଠାରୁ ଋଷିଆ ଭାରତ ସହ ସମାନ ଚୁକ୍ତି କରିବାକୁ ପ୍ରସ୍ତାବ ଦେଇଥିଲା । ଗତ ବର୍ଷ ଋଷିଆ ଏହି ପ୍ରସ୍ତାବିତ ଚୁକ୍ତିର ଏକ ଚିଠା ପଠାଇଥିଲା । ଭାରତ ଏହି ପ୍ରସ୍ତାବରେ ରାଜି ହୋଇଥିଲା । ଆମେରିକା ସହ ଭାରତ କରିଥିବା ମିଲିଟାରୀ ଲଜିଷ୍ଟିକ୍ସ ଚୁକ୍ତି ପାଇଁ ଭାରତ ପ୍ରାୟ ୧୫ ବର୍ଷ ହେଲା ଉଦ୍ୟମ କରିଆସୁଥିଲା । ତେବେ ଋଷିଆ ସହିତ ଭାରତ ଏହି ଚୁକ୍ତି କଲେ ଆମେରିକାର ପ୍ରତିକ୍ରିୟା କଣ ରହିବ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ସମ୍ବନ୍ଧିତ ଖବର