ବାଲାକୋଟ୍ ଏୟାର୍ଷ୍ଟ୍ରାଇକ୍ର ପ୍ରମୋ ଭିଡିଓ ରିଲିଜ୍ କଲା ଭାରତୀୟ ବାୟୁସେନା
ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରାରମ୍ଭରେ ପାକିସ୍ତାନର ବାଲାକୋଟରେ ଥିବା ଆତଙ୍କବାଦୀ ଶିବିର ଉପରେ ହୋଇଥିବା ଏୟାର୍ଷ୍ଟ୍ରାଇକ ଆଧାରିତ ଏକ ପ୍ରମୋସ୍ନାଲ୍ ଭିଡିଓ ରିଲିଜ୍ କରିଛି ଭାରତୀୟ ବାୟୁସେନା। ଭାରତୀୟ ବାୟୁସେନା ଦିବସ ଅବସରରେ ଏହି ଭିଡିଓକୁ ରିଲିଜ୍ କରିଛନ୍ତି ବାୟୁସେନା ମୁଖ୍ୟ ମାର୍ସାଲ୍ ଆର୍କେଏସ୍ ଭାଦୋରିଆ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ପ୍ରମୋସ୍ନାଲ୍ ଭିଡିଓରେ ବାୟୁସେନାର ଲଢୁଆ ବିମାନ ଉଡ଼ାଣ, କ୍ଷେପଣାସ୍ତ୍ର ନିକ୍ଷେପ ଏବଂ ଲକ୍ଷ୍ୟସ୍ଥଳୀର ରାଡାର୍ ଜୁମିଙ୍ଗ୍ର ଦୃଶ୍ୟାବଳି ରହିଛି । ଏହି ଦୃଶ୍ୟ ଫେବ୍ରୁଆରି ୨୬ ତାରିଖରେ ଭାରତୀୟ ବାୟୁସେନାର ମିରେଜ୍-୨୦୦୦ ଲଢୁଆ ବିମାନ ଆକ୍ରମଣର କି, ନୁହେଁ ତାହା ଜଣାପଡ଼ିନାହିଁ।
ଫେବ୍ରୁଆରି ୧୪ ତାରିଖ ଦିନ ପୁଲ୍ଓ୍ଵାମା ଆକ୍ରମଣରେ ସିଆର୍ପିଏଫ୍ର ୪୦ଜଣ ଯବାନ ସହିଦ ହୋଇଥିବା ଘଟଣାର ଭାରତୀୟ ବାୟୁସେନା କିଭଳି ପ୍ରତିଶୋଧ ନେଉଛି ସେ ସଂକ୍ରାନ୍ତ ବର୍ଣ୍ଣନା ମଧ୍ୟ ରହିଛି ଏହି ପ୍ରମୋ ଭିଡିଓରେ।
ବର୍ଣ୍ଣନା ସାଥିରେ ରହିଛି ବ୍ରିଫିଙ୍ଗ୍ ରୁମ୍ରେ ଭାରତୀୟ ବାୟୁସେନା ପାଇଲଟ୍ ଥିବାର ଦୃଶ୍ୟ। ତା’ପରେ ପାଇଲଟ୍ମାନେ ସେମାନଙ୍କ ଲଢୁଆ ବିମାନ ମିରେଜ୍-୨୦୦୦ ଆଡ଼କୁ ଧାଇଁ ଯାଇ ଉଡ଼ାଣ ଆରମ୍ଭ କରୁଥିବାର ଦୃଶ୍ୟ ରହିଛି। ଏହାପରେ ରହିଛି ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍ ସେଣ୍ଟର୍ ଏବଂ ସମ୍ଭାବ୍ୟ ଲକ୍ଷସ୍ଥଳୀର ରାଡାର୍ ଜୁମିଙ୍ଗ୍ର ଫଟୋ।
ଏଥିସହ ଏହି ଭିଡିଓରେ ଫେବ୍ରୁଆରି ୨୭ରେ ହୋଇଥିବା ଭାରତ ଓ ପାକିସ୍ତାନ ଯୁଦ୍ଧବିମାନ ମଧ୍ୟରେ ଡଗ୍ ଫାଇଟର ଦୃଶ୍ୟ ମଧ୍ୟ ସ୍ଥାନ ପାଇଛି।