ଇସ୍ରାଏଲୀ ଗବେଷକଙ୍କ ଦାବି: କରୋନାକୁ ମାରିଦେବ ମାସ୍କ

ହାଇଫା(ଇସ୍ରାଏଲ): ଇସ୍ରାଏଲ୍‌ର ହାଇଫା ସ୍ଥିତ ଟେକ୍ନିଅନ୍‌ ବିଶ୍ବବିଦ୍ୟାଳୟର ଗବେଷକମାନେ ଏକ ନୂତନ ଧରଣର ପୁନଃବ୍ୟବହାରକ୍ଷମ ମାସ୍କ ତିଆରି କରିଛନ୍ତି, ଯାହା କି ମୋବାଇଲ୍‌ ଫୋନ୍‌ ଚାର୍ଜରରୁ ତାପଶକ୍ତି ସଂଗ୍ରହ କରି ମହାମାରୀ କରୋନାଭୂତାଣୁ ସାର୍ସ-କୋଭ୍-୨କୁ ମାରିଦେବାରେ ସକ୍ଷମ ବୋଲି ସେମାନେ ଦାବି କରିଛନ୍ତି। ଭୂତାଣୁମାନଙ୍କୁ ଏପରି ମାରିବା ପ୍ରକ୍ରିୟା ସଂପନ୍ନ ହେବାକୁ ମାତ୍ର ୩୦ ମିନିଟ୍ ଆବଶ୍ୟକ ଏବଂ ମାସ୍କଟି ଶକ୍ତି ସଂଗ୍ରହ କଲାବେଳେ ତାହାକୁ ବ୍ୟବହାରକାରୀ ନ ପିନ୍ଧିବାକୁ ମୁଖ୍ୟ ଗବେଷକ ୟାଇର୍‌ ଏଇନ୍‌ ଏଲି ପରାମର୍ଶ ଦେଇଛନ୍ତି। ଏହି ଅଭିନବ ମାସ୍କ୍‌ରେ ଏକ ୟୁଏସ୍‌ବି ପୋର୍ଟ ରହିଛି ଯାହା ମାଧ୍ୟମରେ ମୋବାଇଲ୍ ଚାର୍ଜର ଲଗାଇ ମାସ୍କ୍‌ର ଭିତରପଟେ ଥିବା କାର୍ବନ୍‌ ଫାଇବର ସ୍ତରକୁ ୭୦ ଡିଗ୍ରି ସେଲ୍‌ସିଅସ୍‌ ବା ୧୫୮ ଡିଗ୍ରି ଫାରେନ୍‌ହାଇଟ୍‌ ତାପମାତ୍ରା ଯାଏ ଗରମ କରିହେବ।

ଏହି ତାପମାତ୍ରା ହିଁ କରୋନାଭୂତାଣୁକୁ ମାରିବା ପାଇଁ ଯଥେଷ୍ଟ ବୋଲି ଗବେଷକ ଏଲି କହିଛନ୍ତି। ତେବେ ଉକ୍ତ ମାସ୍କ୍‌କୁ ବାରମ୍ବାର ଏପରି ଗରମ କରିବା ଦ୍ବାରା ଏହାର ମୁଖ୍ୟ ଧାରକ ଫାଇବର ବା ପେପର ସ୍ତରର ତନ୍ତୁ ନଷ୍ଟ ହୋଇଯାଇଥାଏ, ଫଳରେ କରୋନାଭୂତାଣୁର ପ୍ରବେଶକୁ ପ୍ରତିରୋଧ କରିବା ପାଇଁ ଆଉ ତାହା କାମ ଦେଇନପାରେ ବୋଲି ସେ ସତର୍କ କରାଇ ଦେଇଛନ୍ତି। ତେବେ ଏହି ପୁନଃବ୍ୟବହାରକ୍ଷମ ମାସ୍କ୍‌ଟିକୁ ଅତି ବେଶିରେ ୨୦ ଥର ଏପରି ଉତ୍ତପ୍ତ କରିହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର