ଜାପାନୀ ମାନଙ୍କର ଏପରି ବିଜୟୋତ୍ସବ ଦେଖି ସମସ୍ତେ ତାଜୁବ୍

ଟୋକିଓ : ଜାପାନୀମାନେ ନିଜର ଶୃଙ୍ଖ​​ଳିତ ଜୀବନଯାପନ ପାଇଁ ବେଶ୍ ଜଣାଶୁଣା । ନିଜ ଦେଶରେ ଥାଆନ୍ତୁ ବା ବିଦେଶରେ, ସେମାନେ ସବୁବେଳେ ଶୃଙ୍ଖଳା ମାନି ଚଳନ୍ତି । ବିଶ୍ବକପ୍ ଫୁଟବଲ ଦେଖିବାକୁ ଯାଇଥିବା ଜାପାନୀ ଫ୍ୟାନମାନେ ମ୍ୟାଚ ପରେ ଷ୍ଟାଡିୟମକୁ ସଫା କରି ସମସ୍ତଙ୍କ ପ୍ରସଂଶାର ପାତ୍ର ହୋଇଛନ୍ତି ।

ଇତି ମଧ୍ୟରେ ସେମାନଙ୍କ ଶୃଙ୍ଖଳାର ଆଉ ଏକ ନମୁନା ଦେଖିବାକୁ ମିଳିଛି ଗତ କାଲି ଜର୍ମାନୀ ଉପରେ ଜାପାନ ଦଳର ବିଜୟ ପରେ । ରାଜଧାନୀ ଟୋକିଓରେ ଫ୍ୟାନମାନେ ବିଜୟ ଉତ୍ସବ ପାଳନ ପାଇଁ ରାସ୍ତାକୁ ଓହ୍ଲାଇ ଆସିଥିଲେ ।

 

ଆମ ଦେଶରେ କୌଣସି ବିଜୟ ଉତ୍ସବ ( ନିର୍ବାଚନ ହେଉ ଅଥବା କ୍ରିକେଟ୍ ମ୍ୟାଚ) ପାଳନ ପାଇଁ ଲୋକମାନେ ରାସ୍ତାକୁ ଏକରକମ ଅଧିକାର କରିନିଅନ୍ତି ଓ ଅଟକି ରହିଥିବା ଲୋକମାନଙ୍କ ସମସ୍ୟା ପ୍ରତି ଆଦୌ ଦୃଷ୍ଟି ଦିଅନ୍ତି ନାହିଁ । କିନ୍ତୁ ଜାପାନୀମାନେ ରାସ୍ତାରେ ବିଜୟୋତ୍ସବ ପା​ଳନ କଲେ ସତ, କିନ୍ତୁ ଅନ୍ୟମାନଙ୍କୁ ସମସ୍ୟାରେ ନ ପକାଇ ।

ଫ୍ୟାନମାନେ ଟ୍ରାଫିକ ଲାଇଟ୍ ଲାଲ ଥିବାବେଳେ ରାସ୍ତା ମଝିକୁ ଆସି ସେଲିବ୍ରେଟ କରୁଥିଲେ । ଯେତେବେଳେ ଲାଇଟ୍ ସବୁଜ ହୋଇଯାଉଥିଲା, ସେମାନେ ରାସ୍ତାକଡ଼କୁ ଚାଲିଯାଇ ଗାଡ଼ିମାନଙ୍କୁ ଛାଡ଼ିଦେଉଥିଲେ । ଏହିପରି ଭାବେ ସାଧାରଣ ଲୋକଙ୍କର କୌଣସି ସମସ୍ୟା ହେଉନଥିଲା ।

ଟ୍ବିଟର ଓ ଅନ୍ୟ ସୋସିଆଲ ମିଡିଆରେ ଜାପାନୀମାନଙ୍କ ଏପରି ନିଆରା ଉତ୍ସବ ପାଳନ ଶୈଳୀକୁ ଲୋକମାନେ ପ୍ରସଂଶା କରୁଛନ୍ତି ।

ସମ୍ବନ୍ଧିତ ଖବର