କଂଗ୍ରେସ ବିଧାୟକ ଜିଗ୍ନେଶ ମେବାନୀଙ୍କୁ ମିଳିଲା ୩ମାସ ଜେଲ ଦଣ୍ଡ, ଦେବାକୁ ହେବ ୧,୦୦୦ଟଙ୍କା ଜରିମାନା

ନୂଆଦିଲ୍ଲୀ: କଂଗ୍ରେସ ବିଧାୟକ ଜିଗ୍ନେଶ ମେବାନୀଙ୍କୁ ମିଳିଲା ୩ମାସ ଜେଲ ଦଣ୍ଡ। ମହେସାଣା କୋର୍ଟ ତାଙ୍କୁ ତିନିମାସ ପାଇଁ ଦଣ୍ଡିତ କରିଥିବା ବେଳେ ୧ ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ କହିଛନ୍ତି। ଜିଗ୍ନେଶ ମେୱାନୀଙ୍କ ସହ ଏନସିପି ନେତ୍ରୀ ରେଶମା ପଟେଲ ଏବଂ ସୁବୋଧ ପରମାରଙ୍କୁ ମଧ୍ୟ ତିନିମାସ ପାଇଁ ଦଣ୍ଡିତ କରାଯାଇଛି। ୫ବର୍ଷ ପୂର୍ବେ ବିନା ଅନୁମତିରେ ରାଲି କରିଥିବାରୁ ସମୁଦାୟ ୧୨ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ମହେସାଣା କୋର୍ଟ।

ସୂଚନା ମୁତାବକ, ଦଣ୍ଡିତ ହୋଇଥିବା ୧୨ଜଣ ଦୋଷୀ ୨୦୧୭ରେ ଆଜାଦୀ କୁଚ୍ ରାଲି କରିଥିଲେ। ଉନାରେ ଦଳିତଙ୍କୁ ମାଡ଼ ମରାଯିବା ମାମଲା ସାମ୍ନାକୁ ଆସିବା ପରେ, ଜୁଲାଇ ୧୨, ୨୦୧୭ରେ ‘ଆଜାଦୁ କୁଚ’ ନାମକ ଆନ୍ଦୋଳନ କରାଯାଇଥିଲା। ଏହି ରାଲି ପରେ ଆରୋପ ଲାଗିଥିଲା ଯେ, ବିନା ଅନୁମତିରେ ଏହି ରାଲି କରାଯାଇଥିଲା।ବିଧାୟକ ଜିଗ୍ନେଶ ମେବାନୀ, ଏନସିପି ନେତା ରେଶମା ପଟେଲ, ସୁବୋଧ ପରମାର ଏହି ରାଲି କରି ସରକାରଙ୍କ ବିଜ୍ଞପ୍ତିକୁ ଉଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଏବେ ଏହି ମାମଲାର ଶୁଣାଣି କରି ମହେସାଣା କୋର୍ଟ ୧୨ ଜଣଙ୍କୁ ୩ ମାସ ଜେଲଦଣ୍ଡ ଶୁଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଜିଗ୍ନେଶ ମେବାନୀ ଏବେ ହିଁ ଜାମିନରେ ବାହାରକୁ ଆସିଛନ୍ତି। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବିବାଦୀୟ ଟୁଇଟ୍ ପାଇଁ ମେବାନୀଙ୍କୁ ଗୁଜରାଟରୁ ଆସାମ ପୁଲିସ ଗିରଫ କରିଥିଲା। ତା’ପରେ ଜିଗ୍ନେଶ ମେବାନୀଙ୍କୁ କୋକରାଜ କୋର୍ଟ ଜାମିନ ପ୍ରଦାନ କରିଥିଲେ। ହେଲେ ଜେଲରୁ ବାହାରିବା ପରେ ମହିଳା ପୁଲିସକର୍ମୀଙ୍କ ସହ ଦୁର୍ବ୍ୟବହାର ପାଇଁ ମେବାନୀଙ୍କୁ ପୁଣି ଗିରଫ କରାଯାଇଥି‌ବା ବେଳେ ଏବେ ତାଙ୍କୁ ଜାମିନ ମିଳିସାରିଛି। ବର୍ତ୍ତମାନ ଆସାମ ସରକାର ଏହି ଜାମିନ ବିରୋଧରେ ଗୌହାଟି ହାଇକୋର୍ଟରେ ଆବେଦନ କରିଛନ୍ତି। ଆସନ୍ତା ୨୭ ତାରିଖରେ ଏହି ମାମଲାର ଶୁଣାଣି ହେବ।

ସମ୍ବନ୍ଧିତ ଖବର