ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି ଲକ୍ଷେ ଟଙ୍କିଆ ଗାଈ, ୨୫ ହଜାର ଟଙ୍କିଆ ବନ୍ଧୁକ

ପାଟନା: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମାର୍ଚ୍ଚ ୨୮ରେ ନାମାଙ୍କନର ଶେଷ ତାରିଖ ଥିଲା | ତେବେ ୪୦ଟି ଲୋକସଭା ଆସନ ବିଶିଷ୍ଟ ବିହାରରେ ପ୍ରଥମ ପର୍ଯ୍ୟାୟରେ ଚାରିଟି ଆସନରେ ଭୋଟ୍ ଗ୍ରହଣ କରାଯିବ। ଏହି ଆସନଗୁଡ଼ିକ ହେଉଛି ନୱାଡା, ଜାମୁଇ, ଗୟା ଏବଂ ଔରଙ୍ଗାବାଦ | ପ୍ରାର୍ଥୀମାନେ ଏହି ଚାରିଟି ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ତେବେ ବିହାରର ଚର୍ଚ୍ଚିତ ଆସନ ଗୟାରୁ ଏନଡିଏ ପ୍ରାର୍ଥୀ ଜିତନ ରାମ ମାଂଝୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ହିନ୍ଦୁସ୍ତାନୀ ଆୱାମ ମୋର୍ଚା (ହାମ) ମୁଖ୍ୟ ଜିତନ ରାମ ମାଂଝୀ ତାଙ୍କ ନିର୍ବାଚନ ସତ୍ୟପାଠରେ ଅନେକ ସୂଚନା ଦେଇଛନ୍ତି। ମାଂଝୀ ମେ ୨୦୧୪ରୁ ଫେବୃଆରୀ ୨୦୧୫ ମଧ୍ୟରେ ପ୍ରାୟ ନଅ ମାସ ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଥିଲେ। ତଥାପି, ମାଂଝୀଙ୍କର ନିଜର କୌଣସି ଘର ନାହିଁ ଏବଂ ତାଙ୍କ ପୈତୃକ ଘରେ ରୁହନ୍ତି | ଏହା ବ୍ୟତୀତ ଗତ ପାଞ୍ଚ ବର୍ଷ ମଧ୍ୟରେ ତାଙ୍କର ସମ୍ପତ୍ତି ମଧ୍ୟ ହ୍ରାସ ପାଇଛି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝୀ ତାଙ୍କ ପାଖରେ ମୋଟ ୩୦.୨୦ ଲକ୍ଷ ଟଙ୍କା ସମ୍ପତ୍ତି ଘୋଷଣା କରିଛନ୍ତି।

୨୦୧୯ ନିର୍ବାଚନରେ ​​ସେ ମୋଟ ସମ୍ପତ୍ତି ୩୫.୯୪ ଲକ୍ଷ ଟଙ୍କାର ସମ୍ପତ୍ତି ଥିବାର ଘୋଷଣା କରିଥିଲେ। ଏହି ସତ୍ୟପାଠରେ ଜିତନ ରାମ ମାଂଝୀ କହିଛନ୍ତି ଯେ ବର୍ତ୍ତମାନ ତାଙ୍କ ପାଖରେ ନଗଦ ୪୯୦୦୦ ଟଙ୍କା ରହିଛି। ସୂଚନାନୁସାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାମରେ ଦୁଇଟି ଯାନ ଅଛି। ଜିତନ ରାମ ମାଂଝୀଙ୍କ ପାଖରେ ୫୦ ହଜାର ଟଙ୍କା ମୂଲ୍ୟର ଏକ ଆମ୍ବାସାଡର କାର ଏବଂ ୪ ଲକ୍ଷ ଟଙ୍କା ମୂଲ୍ୟର ଏକ ମହିନ୍ଦ୍ରା ସ୍କର୍ପିଓ କାର ଅଛି | ଏଥି ସହିତ, ଜିତନ ରାମ ମାଂଝୀଙ୍କ ପାଖରେ ୨୫୦୦୦ ଟଙ୍କା ମୂଲ୍ୟର ଏକ ବନ୍ଧୁକ ଅଛି |

ସେ ଏହି ଆଫିଡେଭିଟରେ ୫୦୦୦୦ ଟଙ୍କା ମୂଲ୍ୟର ଗୋଟିଏ ଏସି ବିଷୟରେ ସୂଚନା ଦେଇଛନ୍ତି। ଏହା ବ୍ୟତୀତ ମାଂଝୀଙ୍କ ପାଖରେ ଦୁଇଟି ଗାଈ ଅଛନ୍ତି, ଯାହାର ମୂଲ୍ୟ ୧ ଲକ୍ଷ ଟଙ୍କା ବୋଲି ଦର୍ଶାଇଛନ୍ତି । ଗୟା ଜିଲ୍ଲାର ଖିଜ୍ରାସାଇ ବ୍ଲକର ମହାକର ଗ୍ରାମରେ ତାଙ୍କର ଏକ ପୈତୃକ ଘର ଅଛି ବୋଲି ଜିତନ ରାମ ମାଂଝୀ କହିଛନ୍ତି। ଏହି ଘରର ବର୍ତ୍ତମାନର ବଜାର ମୂଲ୍ୟ ୧୩.୫୦ ଲକ୍ଷ ଟଙ୍କା ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର