ସାହିନ୍‌ ବାଗରେ ଜେଏନ୍‌ୟୁ ଛାତ୍ରଙ୍କ ଦେଶ ବିରୋଧୀ ଭାଷଣ

ନୂଆଦିଲ୍ଲୀ: ଦିଲ୍ଲୀର ସାହିନ୍‌ ବାଗରେ ଚାଲିଥିବା ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନକୁ ନେଇ ଏବେ ବଡ଼ ବିବାଦ ଆରମ୍ଭ ହୋଇଯାଇଛି। ସାହିନ୍‌ ବାଗରେ ଧାରଣା ଦେଇଥିବା ଲୋକଙ୍କୁ ଉଦ୍‌ବୋଧନ ଦେଇ ଏହାର ଅନ୍ୟତମ ଆୟୋଜକ ତଥା ଜେଏନ୍‌ୟୁ ଛାତ୍ର ସର୍‌ଜିଲ ଇମାମ୍‌ ଦେଶ ବିରୋଧୀ ବୟାନ ଦେଇଛନ୍ତି। ତାଙ୍କ ଭାଷଣରେ ଦେଶ ବିରୋଧରେ ବିଷୋଦ୍‌ଗାର ଥିବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଆସାମକୁ ଦେଶରୁ ଅଲଗା କରିଦେବାକୁ ସର୍‌ଜିଲ ଧମକ ଦେଇଛନ୍ତି। ଏହି ଭାଷଣ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ତାଙ୍କ ବିରୋଧରେ ଆଲିଗଡ଼ ଏବଂ ଆସାମରେ ମାମଲା ରୁଜୁ ହୋଇଛି । ଆସାମ ସରକାର ଏହି ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ ଦେଶ ବିରୋଧୀ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ଆସାମ ସରକାରଙ୍କ ମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା କହିଛନ୍ତି। ଅନ୍ୟପକ୍ଷରେ ସାହିନ୍‌ ବାଗରେ ଆନ୍ଦୋଳନକାରୀମାନେ ଦୀର୍ଘ ଦିନ ହେଲା ରାସ୍ତା ଅବରୋଧ କରି ରଖିଥିବାରୁ ଏହାକୁ ନେଇ ସ୍ଥାନୀୟ ଜନତାଙ୍କ ମଧ୍ୟରେ କ୍ରୋଧ ବଢ଼ୁଛି। ସମସ୍ତ ଅବରୋଧକୁ ବଳପୂର୍ବକ ହଟାଇ ଦିଆଯିବ ବୋଲି ସ୍ଥାନୀୟ ବାସିନ୍ଦାମାନେ ଚେତାବନୀ ଦେଇଛନ୍ତି। ସାହିନ୍‌ ବାଗ୍‌କୁ ଆନ୍ଦୋଳନକାରୀଙ୍କ କବ୍‌ଜାରୁ ମୁକ୍ତ କରିବା ପାଇଁ ଲୋକେ ମେଳି ବାନ୍ଧୁଛନ୍ତି।

ସମ୍ବନ୍ଧିତ ଖବର