ଜେଏନ୍‌ୟୁରେ ଦେଶବିରୋଧୀ କାର୍ଯ୍ୟକ୍ରମ:କହ୍ନେୟା ସମେତ ୧୦ ଜଣଙ୍କ ବିରୋଧରେ ଚାର୍ଜସିଟ୍‌

ନୂଆଦିଲ୍ଲୀ : ୨୦୧୬ ମସିହାରେ ଜେଏନ୍‌ୟୁ (ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟ)ରେ ହୋଇଥିବା ଏକ ଦେଶ ବିରୋଧୀ କାର୍ଯ୍ୟକ୍ରମ ଦେଶବ୍ୟାପୀ ତମ୍ବିତୋଫାନ ସୃଷ୍ଟି କରିଥିଲା। ଏହି ଘଟଣାର ୩ ବର୍ଷ ପରେ ଆଜି ଜେଏନ୍‌ୟୁଏସ୍‌ୟୁ (ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟ ଛାତ୍ର ସଂଗଠନ)ର ପୂର୍ବତନ ଅଧ୍ୟକ୍ଷ କହ୍ନେୟା କୁମାରଙ୍କ ସମେତ ୧୦ ଜଣଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଚାର୍ଜସିଟ୍‌ ଦାଖଲ କରିଛି। ଜେଏନ୍‌ୟୁ ପୂର୍ବତନ ଛାତ୍ର ଉମର ଖଲିଦ୍‌, ଅନିର୍ବାଣ ଭଟ୍ଟାଚାର୍ଯ୍ୟଙ୍କ ବିରୋଧରେ ମଧ୍ୟ ଚାର୍ଜସିଟ୍ ଦାଖଲ ହୋଇଛି। ୨୦୧୬ ମସିହାରେ ସଂସଦ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ଅଫଜଲ ଗୁରୁକୁ ଫାଶୀଦଣ୍ଡକୁ ବିରୋଧ କରି ଜେଏଏନ୍‌ୟୁରେ ଦେଶ ବିରୋଧୀ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଫଜଲ୍‌ ଗୁରୁକୁ ସମର୍ଥନ କରି ଦେଶ ବିରୋଧୀ ‌ସ୍ଲୋଗାନ୍‌ ଦିଆଯାଇଥିଲା। ଏନେଇ କହ୍ନେୟା କୁମାର, ଉମର ଖଲିଦ୍‌ ଏବଂ ଅନ୍ୟମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ୩ ବର୍ଷ ପରେ ଦିଲ୍ଲୀ ପୁଲିସ ଆଜି ଏହି ମାମଲାରେ ପଟିଆଲା ହାଉସ୍‌ କୋର୍ଟରେ ୧୨୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି। ଏହି ମାମଲାରେ ବିଭିନ୍ନ ଭିଡିଓ ପ୍ରମାଣ, ମୋବାଇଲ୍‌ ଫୁଟେଜ୍‌ ଏବଂ ସିସିଟିଭି ଫୁଟେଜ୍‌ ମଧ୍ୟ କୋର୍ଟରେ ଦାଖଲ କରାଯାଇଛି।
ଆଇପିସିର ଧାରା ୧୨୪ ଏ, ୩୨୩, ୪୬୫, ୪୭୧, ୧୪୩, ୧୪୯, ୧୪୭ ,୧୨୦ ବି ଅଧୀନରେ ପୁଲିସ କହ୍ନେୟା କୁମାର, ଉମର ଖଲିଦ୍‌ ଏବଂ ଅନିର୍ବାଣ ଭଟ୍ଟାଚାର୍ଯ୍ୟଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି। ଏହାବାଦ୍‌ କଶ୍ମୀର ଛାତ୍ର ଆକିବ୍‌ ହୁ‌ସେନ, ମୁଜିବ ହୁସେନ୍, ମୁନିବ ହୁସେନ, ଉମର ଗୁଲ୍‌, ରୟିଆ ରସୋଲ୍‌, ବସିର ଭଟ ଏବଂ ବଶରତଙ୍କ ବିରୋଧରେ ମଧ୍ୟ ଚାର୍ଜସିଟ୍‌ ଦାଖଲ ହୋଇଛି। ଅନ୍ୟପକ୍ଷରେ କହ୍ନେୟା କୁମାର ଉକ୍ତ ଚାର୍ଜସିଟ୍‌ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ଏହା ତାଙ୍କ ବିରୋଧରେ ବିଜେପି ସରକାରଙ୍କ ଆକ୍ରୋଶମୂଳକ ପଦକ୍ଷେପ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର