କନ୍ଧମାଳ ଆଶା କର୍ମୀଙ୍କ ମୃତ୍ୟୁ ମାମଲା: ଏନ୍‌ଏଚ୍‌ଆର୍‌ସିଙ୍କ ସୁପାରିସକୁ କାଏମ୍‌ ରଖିଲେ ହାଇକୋର୍ଟ

ନୂଆଦିଲ୍ଲୀ, : କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଅଞ୍ଚଳର ଆଶା କର୍ମୀ ମିନି ପ୍ରଧାନଙ୍କ ମୃତ୍ୟୁ ମାମଲାରେ କ୍ଷତିପୂରଣ ପ୍ରଦାନ ନେଇ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି)ଙ୍କ ସୁପାରିସକୁ ଓଡ଼ିଶା ହାଇକୋର୍ଟ କାଏମ୍‌ ରଖିଛନ୍ତି।

ସୁପ୍ରିମକୋର୍ଟ ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଆମ୍ବୁଲାନ୍‌ସ ଓ ସଡ଼କ ଯୋଗାଯୋଗ ଅଭାବରୁ ଆଶା କର୍ମୀ ମିନି ଓ ତାଙ୍କ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା ନେଇ ଏନ୍‌ଏଚ୍‌ଆର୍‌ସିଙ୍କ ନିକଟରେ ଏକ ଆବେଦନ (ପିଟିସନ୍‌) କରିଥିଲେ। ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସେ ଏଥିରେ ଉଲ୍ଲେଖ କରିଥିଲେ। ଆବେଦନକୁ ବିଚାରକୁ ନେଇ ଏନ୍‌ଏଚ୍‌ଆର୍‌ସି ମିନିଙ୍କ ପରିବାରକୁ ତିନି ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଓଡ଼ିଶା ସରକାରଙ୍କୁ ସୁପାରିସ କରିଥିଲେ।

ତେବେ ରାଜ୍ୟ ସରକାର ଏହାକୁ ହାଇକୋର୍ଟରେ ଚାଲେଞ୍ଜ୍‌ କରିଥିଲେ। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଅରିନ୍ଦମ ସିହ୍ନା ଏନ୍‌ଏଚ୍‌ଆର୍‌ସିଙ୍କ ସୁପାରିସକୁ କାଏମ୍‌ ରଖିଛନ୍ତି। ପୀଡ଼ିତାଙ୍କ ପରିବାରକୁ ଚାରି ସପ୍ତାହ ମଧ୍ୟରେ ତିନି ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର