ଫେସ୍‌ବୁକ୍ ଲାଇଭ୍‌ରେ କପିଳ ଶର୍ମାଙ୍କ ସହ-ଅଭିନେତାଙ୍କ ଆତ୍ମହତ୍ୟା ଉଦ୍ୟମ

ମୁମ୍ବାଇ: ହାସ୍ୟାଭିନେତା କପିଲ ଶର୍ମାଙ୍କ କମେଡି ସୋ’ରେ କାମ କରିଥିବା ତୀର୍ଥାନନ୍ଦ ରାଓ ଫେସ୍‌ବୁକ୍ ଲାଇଭ୍‌ରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି। ତାଙ୍କ ଲିଭ୍‌-ଇନ୍ ପାର୍ଟନର ତାଙ୍କୁ ବ୍ଲାକ୍‌ମେଲ କରୁଥିବା ଓ ତାଙ୍କଠାରୁ ଟଙ୍କା ଲୁଟୁଥିବା ଅଭିଯୋଗ କରିଛନ୍ତି ରାଓ। ଫେସ୍‌ବୁକ୍ ଲାଇଭ୍‌ରେ ଦେଖିବାକୁ ମିଳିଛି ଯେ, ରାଓ ଏକ କୀଟନାଶକ ବୋତଲରୁ କିଛି ତରଳପଦାର୍ଥ ପାନ କରୁଛନ୍ତି। ଭିଡ଼ିଓ ଦେଖି ରାଓଙ୍କ ବନ୍ଧୁମାନେ ତୁରନ୍ତ ତାଙ୍କ ଘରେ ପହଞ୍ଚି ତାଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେତେବେଳେ ସେ ବେହୋସ୍ ଥିଲେ। ଡାକ୍ତରମାନେ ଚିକିତ୍ସା କରି ତାଙ୍କୁ ମୃତ୍ୟୁମୁଖରୁ ଫେରାଇ ଆଣିଛନ୍ତି।
ଅଭିନେତା ଜଣକ ଏପରି ଚରମ ପଦକ୍ଷେପ ପାଇଁ ତାଙ୍କ ଲିଭ୍-ଇନ୍ ବାନ୍ଧବୀଙ୍କୁ ଦାୟୀ କରିଛନ୍ତି, ଯାହାଙ୍କ ସହ ସେ ଗତ ଅକ୍ଟୋବର ମାସରୁ ସମ୍ପର୍କରେ ଅଛନ୍ତି। ମହିଳା ଜଣକ ତାଙ୍କ ନାମରେ ଥାନାରେ କେସ୍ କରିବା ସହ ତାଙ୍କୁ ବିବାହ କରିବାକୁ ଧମକାଉଛନ୍ତି। ସେ ଏବେ ଋଣଭାରରେ ବୁଡ଼ିଥିବା ବେଳେ ମହିଳା ଜଣକ ତାଙ୍କୁ ଆର୍ଥିକ ଶୋଷଣ କରୁଥିବା ରାଓ ଅଭିଯୋଗ କରିଛନ୍ତି। ତାଙ୍କର ଏଭଳି ଆର୍ଥିକ ଦୁରବସ୍ଥା ପାଇଁ ସେଇ ବାନ୍ଧବୀ ଦାୟୀ ବୋଲି କହିଛନ୍ତି। ରାଓଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି।

ସମ୍ବନ୍ଧିତ ଖବର