ସଂକଟରେ କର୍ଣ୍ଣାଟକ ସରକାର: କଂଗ୍ରେସ-ଜେଡିଏସ୍‌ର ୧୫ ବିଧାୟକ ବିଜେପି ସହ ସମ୍ପର୍କରେ

ବେଙ୍ଗାଲୁରୁ: ଜେଡିଏସ୍‌ ସହ ହାତ ମିଳାଇ ବିଜେପିକୁ କର୍ଣ୍ଣାଟକରେ କ୍ଷମତାରୁ ଦୂରେଇ ରଖିବାରେ ସମର୍ଥ ହୋଇଥିବା କଂଗ୍ରେସ ଦଳ ଏବେ ବଡ଼ଧରଣର କନ୍ଦଳ ଭିତରେ ଛଟପଟ ହେଉଛି। ରାଜ୍ୟ କଂଗ୍ରେସର ଦୁଇ ବରିଷ୍ଠ ନେତା ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ବର ଏବଂ କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଦରମୈୟା କ୍ଷମତା ବଣ୍ଟନକୁ ନେଇ ମୁହାଁମୁହିଁ ହୋଇଛନ୍ତି। ଏଥିଯୋଗୁ ନୂତନ ଭାବେ ମନ୍ତ୍ରିମଣ୍ଡ‌ଳରେ ସାମିଲ ହୋଇଥିବା କଂଗ୍ରେସ ବିଧାୟକଙ୍କୁ ବିଭାଗ ବଣ୍ଟନରେ ଅଚଳାବସ୍ଥା ଦେଖାଦେଇଛି। ଅନ୍ୟପକ୍ଷରେ କଂଗ୍ରେସ ଏବଂ ଜେଡିଏସ୍‌ ମେଣ୍ଟର ୧୫ ଜଣ ବିଧାୟକ ବିଜେପି ସହ ଭିତିରିଆ ସମ୍ପର୍କରେ ଥିବା ଖବର ଏବେ ଚର୍ଚ୍ଚାର ବିଷୟ ହୋଇଛି। ବରିଷ୍ଠ ବିଜେପି ବିଧାୟକ ଉମେଶ କଟ୍ଟି କହିଛନ୍ତି, ଯଦି ଏହି ବିଧାୟକମାନେ ବିଜେପିକୁ ସମର୍ଥନ ପାଇଁ ଆଗେଇ ଆସିବେ, ତା’ହେଲେ ଦଳ ସେମାନଙ୍କୁ ସ୍ବାଗତ କରିବ। ଏହା ସମ୍ଭବ ହେଲେ ସପ୍ତାହେ କିମ୍ବା ଦୁଇ ସପ୍ତାହ ମଧ୍ୟରେ ବିଜେପି ସରକାର ଗଢ଼ିବାକୁ ସମର୍ଥ ହେବ ବୋଲି ସେ କହିଛନ୍ତି। ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନଥିବା କଂଗ୍ରେସ-ଜେଡିଏସ୍‌ର ଅସନ୍ତୁଷ୍ଟ ବିଧାୟକମାନେ ସରକାରଙ୍କ ବିରୋଧରେ ଖୋଲା ବୟାନବାଜି ଜାରି ରଖିଛନ୍ତି। ବରିଷ୍ଠ କଂଗ୍ରେସ ବିଧାୟକ ରମେଶ ଜାରକିହୋଲିଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇ ଦିଆଯାଇଥିବାରୁ ସେ ଦଳରୁ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି। ତେବେ ବିଜେପି ପ୍ରଦେଶ ଅଧ୍ୟକ୍ଷ ବି ଏସ୍‌ ୟେଦ୍ୟୁରପ୍ପା କହିଛନ୍ତି ଯେ କଂଗ୍ରେସର କୌଣସି ବିଧାୟକ ତାଙ୍କ ସହିତ ସମ୍ପର୍କ କରିନାହାନ୍ତି। ରାଜ୍ୟ ସରକାରଙ୍କୁ ଭାଙ୍ଗିବା ବିଜେପିର ଲକ୍ଷ୍ୟ ନୁହେଁ।

ସମ୍ବନ୍ଧିତ ଖବର