କର୍ଣ୍ଣାଟକ : ପୁଣି ଝୁଲିଲା ଆସ୍ଥା ଭୋଟ, ବିଧାନସଭା ସୋମବାର ପର୍ଯ୍ୟନ୍ତ ମୁଲତବି

ବେଙ୍ଗଲୁରୁ: କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ଅଚଳାବସ୍ଥା ଶେଷ ହେବାର ନାଁ ଧରୁ ନାହିଁ । ବିଧାନସଭାରେ ଗତ ଗୁରୁବାରଦିନଠାରୁ ଆରମ୍ଭ ହୋଇଥିବା ଆସ୍ଥାଭୋଟ ଉପରେ ବିତର୍କ ଏବେ ବି ଜାରି ରହିଛି । ବାଚସ୍ପତି ଆଜି ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ କରିବା ପରେ ଆସ୍ଥା ଭୋଟ ସୋମବାରଦିନ ହେବା ସମ୍ଭାବନା ରହିଛି । ରାଜ୍ୟର ଜେଡିଏସ-କଂଗ୍ରେସ ମେଣ୍ଟ ସରକାର ଆସ୍ଥା ଭୋଟକୁ ଯଥାସମ୍ଭବ ବିଳମ୍ବିତ କରିବାକୁ ଚାହୁଁଥିବାବେଳେ ତୁରନ୍ତ ଆସ୍ଥାଭୋଟ ପାଇଁ ବିଜେପି ଦାବି କରୁଛି ।

ଏହାପୂର୍ବରୁ ରାଜ୍ୟପାଳ ବାଜୁଭାଇ ବାଲା ଗତ ରାତିରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ନିକଟକୁ ଏକ ପତ୍ର ଲେଖି ଆଜି ଅପରାହ୍ଣ ସାଢ଼େ ଗୋଟାଏ ସୁଦ୍ଧା ଆସ୍ଥା ଭୋଟ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ ସରକାର ନ ମାନିବାରୁ ସଂଧ୍ୟା ୬ଟାରେ ଆଉ ଏକ ସମୟସୀମା ଧାର୍ଯ୍ୟ କରିଥିଲେ । କିନ୍ତୁ ଏହା ବିରୋଧରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଆସ୍ଥାଭୋଟ ଉପରେ ଚାଲିଥିବା ଆଲୋଚନା ଶେଷ ନହେବା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି କଂଗ୍ରେସ ନେତା ସିଦ୍ଧରମେୟା ବିଧାନସଭାରେ କହିଛନ୍ତି। ଆହୁରି ୨୦ ଜଣ ବିଧାୟକ ଆଲୋଚନାରେ ଅଂଶ ଗ୍ରହଣ କରିବାକୁ ଥିବାରୁ ଆଲୋଚନା ସୋମବାର ପର୍ଯ୍ୟନ୍ତ ଚାଲିବ ବୋଲି କହିଛନ୍ତି ସିଦ୍ଧରମେୟା ।

ସମ୍ବନ୍ଧିତ ଖବର