ଜମ୍ମୁରେ ବି ଦେଖାଗଲା ‘କଶ୍ମୀରକୁ ସ୍ୱାଧୀନ କର’ ପ୍ଲାକାର୍ଡ, କିନ୍ତୁ ଏକ ଭିନ୍ନ ଅର୍ଥରେ

କଶ୍ମୀରକୁ ଇସ୍ଲାମୀୟ ଆତଙ୍କବାଦ କବଳରୁ ମୁକ୍ତ କରାଯାଉ : କଶ୍ମୀରୀ ପଣ୍ଡିତଙ୍କ ଦାବି

ଜମ୍ମୁ : ଦେଶରେ କେତେକ ଛାତ୍ରଛାତ୍ରୀ ଆନ୍ଦୋଳନ କରିବାବେଳେ ସବୁବେଳେ ଆଜାଦୀ ସ୍ଲୋଗାନ ଦେଉଛନ୍ତି । ଏପରିକି ମୁମ୍ବାଇରେ ଏକ ବିକ୍ଷୋଭ ବେଳେ ଜଣେ ଯୁବତୀ ଫ୍ରି କଶ୍ମୀର (କାଶ୍ମୀରକୁ ମୁକ୍ତ କର) ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡ ଧରିଥିବା ଦେଖାଯାଇଥିଲା । କିନ୍ତୁ ଆଜି ଜମ୍ମୁରେ ମଧ୍ୟ ଏକ ‘ଫ୍ରି କଶ୍ମୀର’ ଲେଖାଥିବା ପ୍ଲାକାର୍ଡ ଦେଖିବାକୁ ମିଳିଛି । ତେବେ ଏକ ଭିନ୍ନ ଅର୍ଥରେ ଏହି ସ୍ଲୋଗାନ ଲେଖାଯାଇଥିଲା । ଏଥିରେ ଲେଖାଥିଲା କଶ୍ମୀରକୁ ଇସ୍ଲାମୀୟ ଆତଙ୍କବାଦ କବଳରୁ ମୁକ୍ତ କରାଯାଉ ।

ମିଳିଥିବା ସୂଚନା ଅନୁସାରେ ଜମ୍ମୁ ଓ କଶ୍ମୀର ଗସ୍ତରେ ଥିବା ବୈଦେଶିକ ପ୍ରତିନିଧିଦଳର ଜମ୍ମୁ ଗସ୍ତ ସମୟରେ କିଛି କଶ୍ମୀରୀ ପଣ୍ଡିତ ଏହି ପ୍ଲାକାର୍ଡ ଦେଖାଇଥିଲେ ।

 

ଭାରତ ସରକାରଙ୍କ ନିମନ୍ତ୍ରଣକ୍ରମେ ପ୍ରାୟ ୧୫ଟି ଦେଶର ପ୍ରତିନିଧିମଣ୍ଡଳ ଏବେ ଜମ୍ମୁ ଓ କଶ୍ମୀର ଗସ୍ତରେ ଅଛନ୍ତି । ସେମାନେ ଗୁରୁବାରଦିନ କଶ୍ମୀର ଘାଟି ଯାଇଥିବାବେଳେ ଶୁକ୍ରବାରଦିନ ଜମ୍ମୁର ଜଗତି ପ୍ରବାସୀ ଶିବିର ପରିଦର୍ଶନରେ ଯାଇଥିଲେ । ଏହି ୧୫ଟି ଦେଶ ମଧ୍ୟରେ ରହିଛନ୍ତି ଆମେରିକା, ଦକ୍ଷିଣକୋରିଆ, ଭିଏତନାମ, ବାଂଲାଦେଶ, ମାଳଦ୍ୱୀପ, ମରୋକ୍କୋ,ଫିଜି, ନରେଓ୍ଵ, ଫିଲିପାଇନ୍ସ, ଆର୍ଜେଣ୍ଟିନା, ପେରୁ, ନାଇଜେରିଆ, ଟୋଗୋ,ନାଇଜର ଓ ଗାଏନା ।

ସୂଚନାଯୋଗ୍ୟ ଯେ ଜେଏନୟୁ ହିଂସାକାଣ୍ଡ ପ୍ରତିବାଦରେ ଗତ ୬ ତାରିଖ ସଂଧ୍ୟାରେ ମୁମ୍ବଇର ଗେଟେଓ୍ଵ ଅଫ ଇଣ୍ଡିଆଠାରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ବେଳେ ‘ଫ୍ରି କଶ୍ମୀର (କାଶ୍ମୀରକୁ ମୁକ୍ତକର) ଲେଖାଥିବା ପ୍ଲାକାର୍ଡ ଧରଥିଲେ ମେହେକ ମିର୍ଜା ପ୍ରଭୁ ନାମକ ଯୁବତୀ । ଏହାକୁ ନେଇ ଦେଶରେ ବିବାଦ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର