କଶ୍ମୀର ଗଣମାଧ୍ୟମ ସମସ୍ୟା, ଏଡିଟର୍ସ ଗିଲ୍ଡର ଉଦ୍‌ବେଗ

ନୂଆଦିଲ୍ଲୀ : ଧାରା ୩୭୦ ଉଚ୍ଛେଦ ପାଇଁ ଜମ୍ମୁ କଶ୍ମୀରରେ କର୍ଫ୍ୟୁ ଜାରି ହେବା, ମୋବାଇଲ୍‌ ଇଣ୍ଟରନେଟ୍‌ ସେବା ବନ୍ଦ ରହିବା , ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯିବା‌ ଏବଂ ଗଣମାଧ୍ୟମର ସ୍ବାଧୀନତାରେ ବାଧା ସୃଷ୍ଟି ହେବା ପ୍ରସଙ୍ଗ ଉଠାଇ ଏଡିଟର୍ସ ଗିଲ୍ଡ୍‌ ଅଫ୍‌ ଇଣ୍ଡିଆ ଘୋର ଉଦ୍‌ବେଗ ପ୍ରକାଶ କରିଛି। ଗିଲ୍ଡ ପକ୍ଷରୁ କୁହାଯାଇଛି ‌ଯେ କିଛି ସାମ୍ବାଦିକ ରିପୋର୍ଟ ସଂଗ୍ରହ କରି କଶ୍ମୀର ଛାଡ଼ିବାପରେ ଏହାକୁ ପ୍ରକାଶ କରିବା‌ରେ ସକ୍ଷମ ହେଉଛନ୍ତି, କିନ୍ତୁ ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ଗୁଡ଼ିକ ପାଇଁ ଏବ‌େ କଶ୍ମୀରରେ ଯେଉଁ ଅଚଳାବସ୍ଥା ଲାଗି ରହିଛି ତାହା ଖୁବ୍‌ କଷ୍ଟଦାୟକ ପରିସ୍ଥିତି ସୃଷ୍ଟି କରିଛି। ଏହାକୁ ଏକ ଅତ୍ୟାଚାର ବୋଲି କୁହାଯାଇପାରିବ। କଶ୍ମୀରରେ କ’ଣ ଘଟୁଛି ସେନେଇ ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ଖବର ସଂଗ୍ରହ କରିପାରୁନାହାନ୍ତି। ସରକାର ଭଲଭାବେ ଅବଗତ ଅଛନ୍ତି ଯେ ଏବେ ଇଣ୍ଟରନେଟ୍‌ ବିନା ଖବର ଛାପିବା କିମ୍ବା ପ୍ରସାର କରିବା ଅସମ୍ଭବ। ଜମ୍ମୁ କଶ୍ମୀରରେ ଗଣମାଧ୍ୟମ ‌ଯୋଗାଯୋଗକୁ ସ୍ବାଭାବିକ କରିବାପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାପାଇଁ ଗିଲ୍ଡ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର