ଆପ୍ କାର୍ଯ୍ୟାଳୟରୁ ବିଜୟ ବାର୍ତ୍ତା ଦେଲେ କେଜ୍ରିୱାଲ୍ : ଦିଲ୍ଲୀବାସୀ ତାଙ୍କ ‘ପୁଅ’ ଉପରେ ଭରସା କରିଥିବାରୁ ଧନ୍ୟବାଦ୍

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ବିଜୟ ଓ ବହୁମତ ହାସଲ ସ୍ପଷ୍ଟ ହେବା ପରେ ଦଳୀୟ କାର୍ଯ୍ୟାଳୟରୁ କର୍ମୀ ଓ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ନିଜର ବିଜୟ ଅଭିଭ‌ାଷଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍। ନିଜର ବିଜୟ ଅଭିଭାଷଣ ସେ ‘ଭାରତ ମାତାକୀ ଜୟ’ରୁ ଆରମ୍ଭ କରି ସେଇ ‘ଭାରତ ମାତାକୀ ଜୟ’ରେ ଶେଷ କରିଛନ୍ତି।

ଭାରତ ମାତା କି ଜୟ, ଇନ୍‌କିଲାବ୍ ଜିନ୍ଦାବାଦ୍, ବନ୍ଦେ ମାତରମ୍‌ ସ୍ଲୋଗାନରୁ  ଭାଷଣ ଆରମ୍ଭ କରିଥିଲେ କେଜ୍ରିଓ୍ଵାଲ। ଏହାପରେ ସେ କହିଥିଲେ, ଦିଲ୍ଲୀବାସୀ ଆପଣମାନେ ଗଜବ୍ କରିଦେଲେ। ଆଇ ଲଭ୍ ୟୁ। ମୁଁ  ଦିଲ୍ଳୀବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିବାକୁ ଚାହେଁ। ସେମାନେ ତୃତୀୟ ଥର ଲାଗି ନିଜର ପୁଅ ଉପରେ ଭରସା କରିଛନ୍ତି । ଏହି ବିଜୟ ଦିଲ୍ଲୀବାସୀଙ୍କ ବିଜୟ। ଏହି ବିଜୟ ସେଇ ପରିବାରର ବିଜୟ ଯେଉଁମାନେ ମତେ ‘ପୁଅ’ ବିବେଚନା କରି ଭୋଟ ଦେଇ ବିଜୟୀ କରିଛନ୍ତି।

New Indian Express

ଏଥିସହ ସେ କହିଥିଲେ, ଏହା ସେହି ପରିବାରର ବିଜୟ ଯେଉଁମାନେ ଭଲ ଶିକ୍ଷା ପାଇଛନ୍ତି, ଡାକ୍ତରଖାନାରେ ଚିକିତ୍ସା ପାଇଛନ୍ତି। ଏହା ପୁଣି ସେହିମାନଙ୍କର ବିଜୟ ଯେଉଁମାନେ ୨୪ଘଣ୍ଟା ବିଜୁଳି ପାଇଛନ୍ତି, ଘର ସାମ୍ନାରେ ରାସ୍ତା ପାଇଛନ୍ତି ଓ ବିଶୁଦ୍ଧ ପାନୀୟ ଜଳ ପାଇଛନ୍ତି। ଏହା ଦେଶରେ ଏକ ନୂଆ ଶୈଳୀର ରାଜନୀତି ଆରମ୍ଭ ହୋଇଛି। ଏହି ରାଜନୀତି ଆମ ଦେଶକୁ ଏକବିଂଶ ଶତାବ୍ଦୀକୁ ନେଇଯିବ-ଏହା ହେଉଛି  ‘ବିକାଶର ରାଜନୀତି’।

ଏହା କେବଳ  ଦିଲ୍ଲୀର ବିଜୟ ନୁହେଁ, ଭାରତ ମାତାର ବିଜୟ, ପୂରା ଦେଶର ବିଜୟ ବୋଲି କେଜ୍ରିଓ୍ଵାଲ କହିଛନ୍ତି। ଆଜି ମଙ୍ଗଳବାର, ଭଗବାନ ହନୁମାନଙ୍କ ଦିନ। ହନୁମାନଜୀ ଦିଲ୍ଲୀ ଉପରେ ତାଙ୍କର କୃପା ବର୍ଷଣ କରିଛନ୍ତି। ଆଗାମୀ ୫ବର୍ଷ ଯେପରି ଆମେ ଦିଲ୍ଲୀବାସୀଙ୍କ ସେବା କରିପାରୁ ସେଥିପାଇଁ ଶକ୍ତି ଦିଅନ୍ତୁ ବୋଲି କେଜ୍ରିଓ୍ଵାଲ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର