ଏପ୍ରିଲ ୧ଯାଏ ବଢ଼ିଲା କେଜ୍ରିୱାଲଙ୍କ ଇଡି ରିମାଣ୍ଡ

ନୂଆଦିଲ୍ଲୀ: ଏପ୍ରିଲ ୧ଯାଏ ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇଡି ରିମାଣ୍ଡ। ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗୁରୁବାର ଅପରାହ୍ନରେ ଇଡି ଟିମ୍ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜ କରିଥିଲା। ସେଠାରେ ଉଭୟ ଇଡି ଏବଂ କେଜ୍ରିୱାଲଙ୍କ ଓକିଲଙ୍କ ମଧ୍ୟରେ ଯୁକ୍ତି ହୋଇଥିବା ଦେଖିବାକୁ ମିଳିଥିଲା। ଯୁକ୍ତି ଶୁଣିବା ପରେ କୋର୍ଟ କେଜ୍ରିୱାଲଙ୍କ ଇଡି ରିମାଣ୍ଡକୁ ଆହୁରି ୫ଦିନ ବଢ଼ାଇ ଦେଇଛନ୍ତି।

ଆଜି ତାଙ୍କର ରିମାଣ୍ଡ ଶେଷ ହୋଇଥିଲା। ଏହା ପରେ ଇଡି ତାଙ୍କୁ କୋର୍ଟରେ ହାଜର କରି ୭ଦିନ ରିମାଣ୍ଡରେ ନେବାକୁ କହିଥିଲେ। ହେଲେ କୋର୍ଟ ୭ଦିନ ବଦଳରେ ୫ଦିନ ସମୟ ଇଡିକୁ ଦେଇଥିବା ସାମ୍ନାକୁ ଆସିଛି।

ଶୁଣାଣି ସମୟରେ କେଜ୍ରିୱାଲ କହିଥିଲେ ଯେ, “ମୁଁ ଇଡିର ରିମାଣ୍ଡ ପିଟିସନକୁ ବିରୋଧ କରୁନାହିଁ। ଇଡି ଯେତେ ଦିନ ଚାହିଁବ ଜେଲରେ ରଖିପାରିବ। କିନ୍ତୁ ଅନୁସନ୍ଧାନକାରୀ ସଂସ୍ଥା ଜାଣିଶୁଣି ମୋତେ ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଫାନ୍ଦରେ ପକାଇବାକୁ ଚେଷ୍ଟା କରୁଛି। ଇଡିର ଦୁଇଟି ଉଦ୍ଦେଶ୍ୟ ଥିଲା | ଗୋଟିଏ ହେଉଛି ଆପକୁ ଭାଙ୍ଗିବା ଏବଂ ଦ୍ୱିତୀୟଟି ହେଉଛି ଏକ ‘ସ୍ମୋକସ୍କ୍ରିନ’ ତିଆରି କରି ଏହା ପଛରେ ଏକ ଚୋରାଚାଲାଣ ରାକେଟ୍ ଚଲାଇବା, ଯାହା ମାଧ୍ୟମରେ ସେମାନେ ଟଙ୍କା ସଂଗ୍ରହ କରୁଛନ୍ତି।”

ଏହା ସହ ଇଡି ପକ୍ଷରୁ କୁହାଯାଇଥିଲା ‌ଯେ, “କେଜ୍ରିୱାଲ ଏପର୍ଯ୍ୟନ୍ତ ତାଙ୍କଠାରୁ ଜବତ ହୋଇଥିବା ମୋବାଇଲ୍ ଫୋନର ପାସୱାର୍ଡ ଦେଇନାହାଁନ୍ତି। ସହଯୋଗ ନକରିବା ସହ ସେ ସିଧାସଳଖ ପ୍ରଶ୍ନର ଉତ୍ତର ଦେଉନାହାଁନ୍ତି। ଯଦି ସେ ସହଯୋଗ ନକରନ୍ତି, ତେବେ ଆମେ ତାଙ୍କ ଫୋନକୁ ଟେକ୍ନିକାଲ୍ ଟିମକୁ ଦେଇ ଖୋଲିବୁ। ତେଣୁ ଆମକୁ ଅଧିକ ଦିନ ରିମାଣ୍ଡର ଆବଶ୍ୟକତା ରହିଛି।”

ସମ୍ବନ୍ଧିତ ଖବର