ଚେନ୍ନାଇ-ମାଙ୍ଗାଲୋର୍‌ ଏକ୍ସପ୍ରେସ୍‌ ଟ୍ରେନର ଦୁଇଟି ଡବା ଲାଇନଚ୍ୟୁତ , କେହି ମୃତାହତ ହୋଇନଥିବାର ସୂଚନା

ନୂଆଦିଲ୍ଲୀ: କେରଳର ଷୋରଣୁର ନିକଟରେ ଚେନ୍ନାଇ-ମାଙ୍ଗାଲୋର୍‌ ଏକ୍ସପ୍ରେସ୍‌ ଟ୍ରେନର ଦୁଇଟି ଡବା ଲାଇନଚ୍ୟୁତ ହୋଇଥିବାର ଖବର ମିଳିଛି। ମଙ୍ଗଳବାର ସକାଳେ ଏହି ଘଟଣା ଘଟିଥିବା ଜଣାଯାଇଛି। ତେବେ ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣାରେ କାହାରି ପ୍ରାଣହାନି ଘଟି ନଥିବା ଜଣାଯାଇଛିି। ଏପରିକି କେହି ଆହତ ବି ହୋଇ ନଥିବା କୁହାଯାଉଛି।

ପ୍ରାପ୍ତ ସୂଚନା ଅନୁସାରେ ଏହି ଦୁଃଖଦ ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ଚେନ୍ନାଇ-ମାଙ୍ଗାଲୋର୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ ଷୋରଣୁର ଷ୍ଟେସନ ଭିତରେ ପ୍ରବେଶ କରୁଥିଲା। ଏଭଳି ଘଟିବାର କାରଣ ସଂପର୍କରେ ଏଯାଏଁ କୌଣସି ସଠିକ୍‌ ତଥ୍ୟ ହାସଲ ହୋଇନାହିଁ।ଏହି ପରିସ୍ଥିତି ଉପୁଜିବାଫଳରେ କେତେକ ଟ୍ରେନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି। ଖାଲି ସେତିକି ନୁହେଁ କେତେକ ମାଲଗାଡିକୁ ବାଟରେ ଅଟକାଇ ଦିଆଯାଇଛି ବୋଲି ଜଣାଯାଇଛି। ରେଳ ଦୁର୍ଘଟଣା ରୋକିବାଲାଗି ରେଳବାଇ ପକ୍ଷରୁ ଲଗାତାର ପ୍ରୟାସ ଜାରି ରହିଥିବା ବେଳେ ଏପରି ଆକସ୍ମିକ ଘଟଣା ଅନେକଙ୍କୁ ବିସ୍ମିତ କରିଛି। ରେଳବାଇ ପକ୍ଷରୁ ଏହାର କାରଣ ଖୋଜା ଚାଲିଛି ।

ସମ୍ବନ୍ଧିତ ଖବର