ପ୍ରିନ୍ସ ସଲମାନ୍‌ଙ୍କ ନିର୍ଦ୍ଦେଶରେ ଖସୋଗିଙ୍କୁ ହତ୍ୟା: ସିଆଇଏ

ଇସ୍ତାନବୁଲ୍‌: ସାଉଦି ସାମ୍ବାଦିକ ଜମାଲ୍‌ ଖସୋଗି ହତ୍ୟା ମାମଲାରେ ସାଉଦି କ୍ରା‌ଉନ୍‌ ପ୍ରିନ୍ସ ସଲମାନ୍‌ ସିଧାସଳଖ ଭାବେ ସମ୍ପୃକ୍ତ। ସଲମାନ୍‌ଙ୍କ ନିର୍ଦ୍ଦେଶରେ ହିଁ ଖସୋଗିଙ୍କୁ ହତ୍ୟା କରାଯାଇଥିଲା। ଗୋଟିଏ ପଟେ ସାଉଦି ଆରବ ପକ୍ଷରୁ ଖସୋଗି ହତ୍ୟା ମାମଲାରେ ୫ ଜଣଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଥିବାବେଳେ ସାଉଦି ପ୍ରିନ୍ସ ସଲମାନ୍‌ଙ୍କୁ କ୍ଲିନ ଚିଟ୍‌ ମିଳିଛି। କିନ୍ତୁ ପରେ ସିଆଇଏ ରିପୋର୍ଟରୁ ଜଣାପଡ଼ିଛି ଯେ ସଲମାନଙ୍କ ନିର୍ଦ୍ଦେଶରେ ହିଁ ଖସୋଗିଙ୍କୁ ହତ୍ୟା କରାଯାଇଥିଲା। ତେବେ ସିଆଇଏ ପାଖରେ ଉକ୍ତ ଘଟଣାରେ ଏକ ବଳିଷ୍ଠ ପ୍ରମାଣ ରହିଛି। ସିଆଇଏ ନିକଟରେ ଏନେଇ ଏକ ଫୋନ୍‌ କଲ୍‌ ରେକର୍ଡ ଅଛି ଯେଉଁଥିରେ ସଲମାନ୍‌ ସାଉଦି ସାମ୍ବାଦିକ ଖସୋଗିଙ୍କୁ ତୁରନ୍ତ ଚୁପ୍‌ କରିବା ପାଇଁ ନିର୍ଦ୍ଦେଶ ଦେଉଥିବା ଜାଣିବାକୁ ମିଳିଛି। ଏ ନେଇ ତୁର୍କୀର ଏକ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇଛି। ପୂର୍ବରୁ ମଧ୍ୟ ସିଆଇଏ ନିର୍ଦ୍ଦେଶକ ଗିନା ହାସପେଲ୍‌ ଜଣାଇଥିଲେ ଯେ ସଲମାନ ହିଁ ଖସୋଗିଙ୍କୁ ଚୁପ୍‌ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏନେଇ ସଂସ୍ଥା ନିକଟରେ ଏକ ରେକର୍ଡିଂ ରହିଛି।

ସୂଚନାଯୋଗ୍ୟ, ସାଉଦି ସାମ୍ବାଦିକ ଖସୋଗିଙ୍କୁ ଇସ୍ତାନବୁଲ୍‌ ସ୍ଥିତ ସାଉଦି ଦୂତାବାସରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ହତ୍ୟା ପରେ ଖସୋଗିଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରିବା ପରେ ଏସିଡ୍‌ ପକାଇ ନଷ୍ଟ କରି ଦିଆଯାଇଥିଲା। ଗତ ଅକ୍ଟୋବର ୨ ତାରିଖରେ ଖସୋଗିଙ୍କୁ ଇସ୍ତାନବୁଲ୍‌ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ତେବେ ପ୍ରାରମ୍ଭରେ ସାଉଦି ଆରବ ଉକ୍ତ ହତ୍ୟା ଘଟଣା ବିଷୟରେ କିଛି ଜାଣିନଥିବା କହିଥିଲେ ମଧ୍ୟ ପରେ ଖସୋଗିଙ୍କୁ ହତ୍ୟା କରାଯାଇଥିବା ସ୍ବୀକାର କରିଥିଲା।

ସମ୍ବନ୍ଧିତ ଖବର