ଏହି ୪ କ୍ଷମତାଶାଳୀ ତାଲିବାନ ନେତା ହେବେ ଆଫଗାନବାସୀଙ୍କ ଭାଗ୍ୟବିଧାତା ! ଜାଣନ୍ତୁ ସେମାନେ କିଏ

ନୂଆଦିଲ୍ଲୀ: ଦୀର୍ଘ ୨୦ବର୍ଷର ଲଢ଼େଇ ପରେ ଆମେରିକା ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିବାର କିଛିଦିନ ମଧ୍ୟରେ ପୂରା ଦେଶକୁ ପୁଣି ତାଲିବାନ ଦଖଲ କରି ନେଇଛି।

ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଦେଶକୁ  ‘ଇସଲାମିକ ଏମିରେଟ୍ ଅଫ ଆଫଗାନିସ୍ତାନ’ ନାମରେ ନାମିତ କରିବ ବୋଲି ଘୋଷଣା କରିଛି । ତେବେ ତାଲିବାନର ଦଖଲ ପରେ ତାଲିବାନର କେଉଁ ନେତାଙ୍କ ହାତରେ କେଉଁ ଦାୟିତ୍ବ ରହିବ ଜାଣନ୍ତୁ।

ହୈବତୁଲ୍ଲାହ ଅଖୁନଜାଦା: ତାଲିବାନୀ ଅଦାଲତରେ ଦୀର୍ଘଦିନ ଧରି ବିଚାରପତି ରହିଥିବା ମୌଲାବୀ ହୈବତୁଲ୍ଲାହ ଅଖୁନଜାଦାଙ୍କ ହାତରେ ତାଲିବାନ ଦାୟିତ୍ବ ପାଖାପାଖି ୫ବର୍ଷ ପୂର୍ବେ ଆସିଛି। ୨୦୧୬ରେ ନେତା ମୁଲ୍ଲା ମନସୁର ଅଖତରଙ୍କ ଆମେରିକୀୟ ଡ୍ରୋନ ଆକ୍ରମଣରେ ମୃତ୍ୟୁ ହେବାପରେ ପୂର୍ବତନ ଇସଲାମିକ ଉପଦେଷ୍ଟା ହୈବତୁଲ୍ଲାହଙ୍କୁ ସଂଗଠନର  ସର୍ବମୁଖ୍ୟ ଭାବେ ଚୟନ କରାଯାଇଥିଲା। ତାଲିବାନ ଶାସନରେ ଆଇନ କିଭଳି ହେବ ତ‌ାହା ମୁଖ୍ୟତଃ ସେ ନିଷ୍ପତ୍ତି କରିବେ।

ସିରାଜୁଦ୍ଦିନ ହକ୍କାନି :ସୋଭିଏତ ସେନା ବିରୋଧ‌ରେ ଲଢ଼ୁଥିବା ମୁଜାହିଦ୍ଦିନ ନେତା ଜଲାଲୁଦ୍ଦିନ ହକ୍କାନିଙ୍କ ପୁଅ ଓ ତାଲିବାନ ସଙ୍ଗଠନର ହକ୍କାନି ନେଟୱାର୍କର ମୁଖ୍ୟ ହେଉଛନ୍ତି ସିରାଜୁଦ୍ଦିନ ହକ୍କାନି। ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସଆଇ ସହିତ ଜଡ଼ିତ ଥିବା ହକ୍କାନି ନେଟୱାର୍କକୁ ସବୁଠାରୁ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଙ୍ଗଠନ ବୋଲି କୁହାଯାଇଥାଏ। ସିରାଜୁଦ୍ଦିନର ହକ୍କାନି ନେଟୱାର୍କ ଆଫଗାନିସ୍ତାନର ଅନେକ ଆତଙ୍କବାଦୀ ଘଟଣା ଓ ଆତ୍ମଘାତୀ ଆକ୍ରମଣରେ ଜଡ଼ିତ ରହିଛି।

ମୁଲ୍ଲା ଅବ୍ବୁଲ୍ ଗନି ବରାଦର:  ତାଲିବାନର ରାଜ‌ନୈତିକ ଶଖାର ମୁଖ୍ୟ ମୁଲ୍ଲା ଅବ୍ବୁଲ୍ ଗନି ବରାଦର ଆଫଗାନିସ୍ତାନର ମଧ୍ୟବର୍ତ୍ତୀ ସରକାରରେ ରାଷ୍ଟ୍ରପତି ହେବେ ବୋଲି ଚର୍ଚ୍ଚା ହେଉଛି ।  ତାଲିବାନର ଦୁର୍ଗ ଭାବରେ ଜଣାଶୁଣା ଆଫଗାନିସ୍ତାନର କାନ୍ଦାହାର ଅଞ୍ଚଳରୁ ଆସିଥିବା ବରାଦର ସୋଭିଏତ୍ ସେନା ବିରୁଦ୍ଧରେ ଲଢ଼ୁଥିବା ମୁଜାହିଦ୍ଦିନମାନଙ୍କ ମଧ୍ୟରେ ସାମିଲ ଥିଲେ। ସେ  କେବଳ ତାଲିବାନ ଆନ୍ଦୋଳନର ପ୍ରତିଷ୍ଠାତା ମୁଲ୍ଲା ଓମାରଙ୍କ ଘନିଷ୍ଠ ସହଯୋଗୀ ନୁହେଁ, ତାଲିବାନ ନେଉଥିବା ବିଭିନ୍ନ ନିଷ୍ପତ୍ତିରେ ବହୁ ଦିନରୁ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି । ଦୋହାରେ ଆମେରିକା ସହିତ ଶାନ୍ତି ଚୁକ୍ତି ସେ ସ୍ୱାକ୍ଷର କରିଥିଲେ।

ମୁଲ୍ଲା ଅବଦୁଲ ହକିମ:   ତାଲିବାନ ଆଇନ ସମ୍ବନ୍ଧିତ ପ୍ରସଙ୍ଗର ନିଷ୍ପତ୍ତି  ନିଅନ୍ତି ବିଚାରପତି  ମୁଲ୍ଲା ଅବଦୁଲ ହକିମ। ଆଫଗାନ ଶାନ୍ତି ବାର୍ତ୍ତାରେ ତାଲିବାନର ପ୍ରତିନିଧିତ୍ବ କରିଥିବା ହକିମ ଜଣେ ଶକ୍ତିଶାଳୀ ଓ କଠୋରପନ୍ଥୀ ନେତା ଭାବେ ଜଣାଶୁଣା। ତାଲିବାନ ସ‌ର୍ବୋଚ୍ଚ ନିର୍ଣ୍ଣୟ ସଂସ୍ଥା ରହବରି କାଉନସିଲରେ ୨୬ ଜଣ ସଦସ୍ୟ ରହିଛନ୍ତି। ସେ ଏହାର ଜଣେ ପଦାଧିକାରୀ।

ତାଲିବାନ ଶାସନ ବ୍ୟବସ୍ଥାରେ ଅଲଗା-ଅଲଗା ବିଭାଗ ରହିଛି । ସୂଚନା ଅନୁସାରେ ସେନା, ଗୁଇନ୍ଦା, ରାଜନୈତିକ, ଆର୍ଥିକ ଓ ଅନ୍ୟ ୧୩ ବିଭାଗ ଜରିଆରେ ତାଲିବାନ ଶାସନ ଚାଲିଥାଏ। ଏହି ବିଭାଗର ମୁଖ୍ୟ ଥିବା ନେତାମାନେ ଚୂଡ଼ାନ୍ତ ନିଷ୍ପତ୍ତି ନେଇଥାଆନ୍ତି।

ସମ୍ବନ୍ଧିତ ଖବର