ରାସନକାର୍ଡରେ ଦତ୍ତା ବଦଳରେ ଲେଖା ଥିଲା କୁତ୍ତା, ଅଧକାରୀଙ୍କ ଗାଡ଼ି ଅଟକାଇ କୁକୁର ପରି ଭୁକିଲେ ହିତାଧିକାରୀ

କୋଲକାତା: ବେଳେ ବେଳେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରରେ ବି ବଡ଼ ବଡ଼ ଭୁଲ୍‌ ସବୁ ଘଟିଥାଏ। ଆଧାରକାର୍ଡ, ପ୍ୟାନ୍‌କାର୍ଡ, ରାସନକାର୍ଡ ଆଦିରେ ଅଧିକାଂଶ ଲୋକଙ୍କର ନାମ, ଠିକଣା ଆଦି ଭୁଲ୍‌ ଥିବାର ଦେଖିବାକୁ ମିଳିଥାଏ। ନିକଟରେ ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି ମଧ୍ୟ ସେପରି ଏକ ସମସ୍ୟା ଦେଇ ଗତି କରିଥିଲେ। ବ୍ୟକ୍ତିଙ୍କ ନାମ ଶ୍ରୀକାନ୍ତ କୁମାର ଦତ୍ତା। ମାତ୍ର ତାଙ୍କ ରାସନକାର୍ଡରେ ଭୁଲ୍‌ବଶତଃ ଲେଖା ହୋଇଥିଲା ଶ୍ରୀକାନ୍ତ କୁମାର କୁତ୍ତା। ଥରେ ନୁହେଁ, କି ଦୁଇ ଥର ନୁହେଁ, ଏପରି ଭୁଲ୍‌ ବ୍ୟକ୍ତଙ୍କ ସହ ୩ ଥର ଘଟିଥିଲା।

ବ୍ୟକ୍ତି ଜଣକ ଏହି କଥାରେ ରାଗି ଯାଇ ପଶ୍ଚିମବଙ୍ଗର ଅଧିକାରୀଙ୍କ ଗାଡ଼ି ନିକଟରେ ବିରୋଧ ପ୍ରଦର୍ଶନ କରି କୁକୁର ପରି ଭୁକିବା‌ରେ ଲାଗିଥିଲେ। ତାପରେ ଯାଇ ତାଙ୍କ ନାମ ପରିବର୍ତ୍ତନ କରାଯାଇଛି। ବ୍ୟକ୍ତିଙ୍କ ସାଙ୍ଗିଆ ସ୍ଥାନରେ କୁତ୍ତା ଲେଖାଥିବା ବେ‌ଳେ ତାହାକୁ ବଦଳାଯାଇ ଦତ୍ତା କରାଯାଇଛି।

 

ପଶ୍ଚିମବଙ୍ଗସ୍ଥିତ ବଙ୍କୁରାର ଏହି ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ସେ ବାରମ୍ବାର ନିବେଦନ କରିବା ପରେ ବି ତାଙ୍କ ନାମକୁ ଠିକ୍‌ କରାଯାଉନଥିଲା। ଶେଷରେ ସେ ଗଣମାଧ୍ୟମ ପ୍ରତିନିଧୀଙ୍କ ସାହାଯ୍ୟ ନେଇ ଏପରି ଏକ ନିଆରା ବିରୋଧ ପ୍ରଦର୍ଶନ କରିଥିଲେ।

ତାଙ୍କ କହିବା ମୁତାବକ, ସେ ନିଜର ନାମ ବଦଳାଇବା ପାଇଁ ପୂର୍ବରୁ ୩ ଥର ଚେଷ୍ଟା କରିଛନ୍ତି। ମାତ୍ର ସବୁଥର ତାଙ୍କ ରାସନ କାର୍ଡରେ ଦତ୍ତା ବଦଳରେ କୁତ୍ତା ଦେଖିବାକୁ ପାଇଥିଲେ। ଯାହାଫଳରେ ସେ ମାନସିକ ଭାବେ ଚିଡ଼ିଯାଇ କୁକୁର ପରି ଭୁକି କରି ବିରୋଧ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର