ମଙ୍ଗଳବାର ସୁଦ୍ଧା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ କମଲନାଥଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ

ଭୋପାଳ/ ନୂଆଦିଲ୍ଲୀ: ଆସନ୍ତାକାଲି (ମଙ୍ଗଳବାର) ସୁଦ୍ଧା ବିଧାନସଭାରେ ନିଜ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପାଇଁ ରାଜ୍ୟପାଳ ଲାଲଜୀ ଟଣ୍ଡନ ଆଜି କଂଗ୍ରେସ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରଦେଶର କଂଗ୍ରେସ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ମନ୍ତ୍ରିମଣ୍ଡଳର ଛଅ ଜଣ ମନ୍ତ୍ରୀଙ୍କର ଇସ୍ତଫା ଗତ ଶନିବାର ଦିନ ଗୃହୀତ ହୋଇଯିବା ପରେ ରାଜ୍ୟପାଳ ଲାଲଜୀ ଟଣ୍ଡନ ବିଧାନସଭାର ବାଚସ୍ପତି ନର୍ମଦା ପ୍ରସାଦ ପ୍ରଜାପତିଙ୍କୁ ଏକ ପତ୍ର ଲେଖି ମାର୍ଚ୍ଚ ୧୬, ସୋମବାର ସୁଦ୍ଧା ବିଧାନସଭାରେ କମଲନାଥଙ୍କ ସରକାରର ସଂଖ୍ୟା ଗରିଷ୍ଠତାର ପରୀକ୍ଷା ନେବାକୁ ନିର୍ଦ୍ଦେଶ ଦେଇଥିଲେ। କାରଣ, ବିଧାନସଭାରେ କଂଗ୍ରେସର ବିଧାୟକ ଥିବା ଜ୍ୟେତିରାଦିତ୍ୟ ସିନ୍ଧିଆଙ୍କ ୨୨ ଜଣ ସମର୍ଥକ ବିଧାୟକ ଏବେ ଦଳରୁ ଇସ୍ତଫା ଦେଇଦେବା ପରେ କମଲନାଥଙ୍କ ସରକାର ଏବେ ସଙ୍କଟ ମଧ୍ୟକୁ ଠେଲି ହୋଇ ଯାଇଥିଲା।

News Nation

ତେବେ, ବାଚସ୍ପତି ନର୍ମଦା ପ୍ରସାଦ ପ୍ରଜାପତି ଆଜି ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ନିଜ ଆସ୍ଥା ଭୋଟର ପରୀକ୍ଷା ଦେବାକୁ ନିର୍ଦ୍ଦେଶ ଦେବା ପୂର୍ବରୁ ଆସନ୍ତା ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖି ଦେଇଥିଲେ। ପରବର୍ତ୍ତୀ ସମୟରେ ବିଜେପିର ସମର୍ଥନରେ ୧୦୬ ଜଣ ବିଧାୟକଙ୍କୁ ପ୍ୟାରେଡ୍‌ କରାଇବା ପରେ ରାଜ୍ୟପାଳ ଲାଲଜୀ ଟଣ୍ଡନ ଆଜି ଆଉଥରେ ସୁଦ୍ଧା ବିଧାନସଭାରେ କମଲନାଥଙ୍କ ସରକାରର ସଂଖ୍ୟା ଗରିଷ୍ଠତାର ପରୀକ୍ଷା ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୧୨ ଘଣ୍ଟା ମଧ୍ୟରେ ନିଜ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରି ବିଜେପି ପକ୍ଷରୁ ସୁପ୍ରିମ୍‌ କୋର୍ଟରେ ଆଗତ ଏକ ମାମଲାର ଶୁଣାଣି ସୁପ୍ରିମ୍‌ କୋର୍ଟ କାଲି କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର