ମନ୍ଦିରକୁ ଆସୁଥିବା ସାପକୁ ‘ଅଜଗର ବାବା’ କହି ପୂଜାର୍ଚ୍ଚନ କରୁଛନ୍ତି ଲୋକେ
ଭୋପାଳ: ଦୁଇ ତିନି ବର୍ଷରେ ଥରେ ମଧ୍ୟପ୍ରଦେଶର ସାଗର ନଗରୀସ୍ଥିତ ଗୋଟାଏ ମନ୍ଦିରକୁ ଆସୁଥିବା ଏକ ଅଜଗର ସାପକୁ ଲୋକେ ‘ଅଜଗର ବାବା’ କହି ଦର୍ଶନ କରିବାକୁ ଆସୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସଂଗୃହୀତ ସୂଚନା ଅନୁସାରେ, ‘ବାଘରାଜ ହରସିଦ୍ଧି ମଠ ମନ୍ଦିର’କୁ ଆସୁଥିବା ସେ ସାପକୁ ପୂଜା କରିବା ଲାଗି ଲୋକେ ଧାଡ଼ି ବାନ୍ଧୁଛନ୍ତି। ସେମାନଙ୍କର ବିଶ୍ବାସ ପ୍ରାୟ ୫ ବର୍ଷ ପୂର୍ବେ ମନ୍ଦିରର ପବିତ୍ର ପରିସରକୁ ଯେଉଁ ସାପଟି ଆସୁଥିଲା, ଏଇଟା ହେଉଛି ସେହି ସାପ।
ଏବେ ସେ ଅଜଗର ସାପ ଉପରେ ନାନା କିଂବଦନ୍ତି ଓ ଗୁଜବ ଉଠିଛି। ଉକ୍ତ ଅଜଗରର ଲମ୍ବ ୪୦ ଫୁଟ୍ ବୋଲି ଗୁଜବ ଉଠିଥିବା ବେଳେ ଭାରତରେ ଦେଖାଯାଉଥିବା ‘ରକ୍ ପାଇଥନ୍’ ବା ପାହାଡ଼ୀ ଅଜଗର ୨୦ ଫୁଟ୍ରୁ ଅଧିକ ଲମ୍ବ ହୋଇଥିବା କେହି ଦେଖିନାହାନ୍ତି। ଭିଡିଓରେ ମଧ୍ୟ ଦେଖା ଯାଉଛି ଯେ, ଉକ୍ତ ସାପଟି ଅତ୍ୟନ୍ତ ଛୋଟ।
କିନ୍ତୁ, କ୍ରମାଗତ ଦୁଇ ଦିନ, ନଭେମ୍ବର ୩ ଓ ୪ ତାରିଖରେ ଉକ୍ତ ଅଜଗରଟି ମନ୍ଦିରକୁ ଆସିବା ପରେ ତା’ ବିଷୟରେ ନାନା କିଂବଦନ୍ତି ପ୍ରଚାର ଆରମ୍ଭ ହୋଇଛି। ୬ ତାରିଖ ଦିନ ଲୋକେ ଧାଡ଼ିବାନ୍ଧି ଥିଲେ ବି ଅଜଗର ପ୍ରକଟ ହୋଇ ନ ଥିଲା। ଲୋକେ କିନ୍ତୁ ତାକୁ ‘ଅଜଗର ବାବା’ କହୁଛନ୍ତି। ମନ୍ଦିର ଭିତରେ ଓ ବାହାରେ ରହି ଅଜଗରଟି ପହରା ଦେଉଛି। ଆଉ କେତେକ କହୁଛନ୍ତି ଯେ, ସେ ହେଉଛି ଅତୀତର ଜଣେ ପୂଜକଙ୍କ ଆତ୍ମା।
ମନ୍ଦିରର ପୂଜକ ପୁଷ୍ପେନ୍ଦ୍ର ପାଠକଙ୍କ ‘ବି ଟେକ୍’ ପଢୁଆ ପୁଅ ୨୩ ବର୍ଷିୟ ଅର୍ପିତ ପାଠକ କହିଛନ୍ତି, ୨୦୧୭ରେ ସେ ସାପକୁ ଆମେ ଦେଖିଥିଲୁ। ତା’ପରେ ପୁଣି ଗତ ଗୁରୁବାର ଓ ଶୁକ୍ରବାର ଦିନ ତାକୁ ଦେଖିଲୁ। ଅର୍ପିତ ଓ ତାଙ୍କ ସାଙ୍ଗମାନେ ଉତ୍ତୋଳନ କରିଥିବା ସେ ଅଜଗରର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି।
ସେ କହିଛନ୍ତି, ଏ ମନ୍ଦିରଟିରେ ଗୋଟାଏ ଗୁମ୍ଫା ବା ସୁଡ଼ଙ୍ଗ ରହିଛି। କୁହାଯାଏ, ଏ ମନ୍ଦିରରେ ଥିବା ଗୁମ୍ଫାଟି ରାଙ୍ଗିର ଗାଁରେ ଥିବା ହରସିଦ୍ଧି ମଠ ମନ୍ଦିର ଏବଂ ଅଙ୍ଗଦ ଦେବୀ ମନ୍ଦିର ସହିତ ସଂଯୁକ୍ତ ହୋଇଛି। ‘ଅଜଗର ବାବା’ ଏହି ୩ଟି ମନ୍ଦିରର ଦିଅଁଙ୍କର ସେବା କରୁଛନ୍ତି।
ତତ୍କାଳୀନ ପୂଜକ ଅଯୋଧ୍ୟା ଦାସଜୀ ମହାରାଜଙ୍କ ମହାପ୍ରାୟାଣ ସମୟରେ ମୋ ବାପାଙ୍କୁ ୪ ବର୍ଷ ହୋଇଥିଲା। ୪ ବର୍ଷ ବୟସରୁ ସେ ଏହି ମନ୍ଦିରରେ ସେବାପୂଜା କରି ଆସୁଛନ୍ତି। ମୃତ୍ୟୁ ପୂର୍ବରୁ ବୃଦ୍ଧ ମହାରାଜଜୀ ମୋ ବାପାଙ୍କୁ କହିଥିଲେ ଯେ, ଗୋଟାଏ ସର୍ପରୂପରେ ସେ ଦିଅଁଙ୍କର ସେବା କରିବେ। ଏଠି ସାପ ବାହାରିବା ଅତି ସାଧାରଣ କଥା। ତେଣୁ, ରାତିରେ ଏଠାରେ କେବଳ ପୂଜକମାନେ ଶୋଇ ପାରନ୍ତି। ଚାହିଁଲେ ମୁଁ ବି ଶୋଇ ପାରିବି ନାହିଁ। ଯଦି କେହି ଶୋଇବାକୁ ଯାଏ ଗୋଟାଏ କଳାନାଗ ବାହାରି ତାକୁ ଡରାଇ ତଡ଼ିଦିଏ। କିନ୍ତୁ, ଆଜି ପର୍ଯ୍ୟନ୍ତ ଏଠାରେ ସାପ କାହାର କିଛି ଅନିଷ୍ଟ କରିନାହିଁ।